ଛାତ୍ରୀଙ୍କୁ ହତ୍ୟା ପରେ ପୋଖରୀରେ ଫିଙ୍ଗିଲେ

ଭୁବନେଶ୍ବର: ସମୟ ସନ୍ଧ୍ୟା ୬ଟା ୩୦ରୁ ୭ଟା । ଆକାଶରେ ଘୋଟିଆସିଲା କଳା ବାଦଲ । ଆଉ ତା’ପରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି । ସବୁଦିନ ପରି ଟିଉସନ୍ ସାରି ଘରକୁ ଫେରୁଥିବା ଜଣେ ସ୍କୁଲ ଛାତ୍ରୀ ଏହି ବର୍ଷା ଫଳରେ ଯାଇନପାରି ସ୍ଥାନୀୟ ବଜାରରେ କିଛିସମୟ ଅଟକି ରହିଥିଲା । ଆଉ ତା’ପରେ ବର୍ଷା ଛାଡ଼ିବା ପରେ ସାଇକେଲରେ ଘର ଅଭିମୁଖେ ଯାଇଥିଲା । ଆଉ ଝିଅଟି ଜାଣିନଥିଲା ଯେ ଆଉ ମାତ୍ର ଅଳ୍ପ ସମୟ ପରେ ତାର ଜୀବନ ଅନ୍ତ ହୋଇଯିବ । ଏପରି ଏକ ଦୁଃଖଦ ଅଭାବନୀୟ ଲୋମହର୍ଷଣକାରୀ ଘଟଣା ଘଟିଯାଇଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ନନ୍ଦିପୁର ବଜାର ଅଞ୍ଚଳରେ ।
ପ୍ରକାଶ ଯେ ସ୍ଥାନୀୟ ବରୀକୁଳ ଗ୍ରାମର ଅମୂଲ୍ୟ ଦାସଙ୍କ ଝିଅ ଅମ୍ରିତା(୧୪) ସ୍ଥାନୀୟ ନନ୍ଦିପୁର ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠପଢ଼େ । ଅମ୍ରିତା ଖୁବ୍ ମେଧାବୀ ଛାତ୍ରୀ ଥିବାବେଳେ ନନ୍ଦିପୁର ବଜାର ଅଞ୍ଚଳରେ ଜଣେ ଶିକ୍ଷକଙ୍କ ନିକଟରେ ଟିଉସନ୍ ହୁଏ । ସବୁଦିନ ପରି ଗତକାଲି ଦିନ ୩ଟାରେ ଘରୁ ବାହାରି ଟିଉସନ୍ ଆସିଥିଲା । ସନ୍ଧ୍ୟା ୬ଟା ୩୦ ସମୟରେ ଟିଉସନ୍ ଛୁଟି ପରେ ଅମ୍ରିତା ଘରକୁ ଫେରୁଥିବା ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ବିଜୁଳି ଅଚାନକ ମାଡ଼ି ଆସିବାରୁ ଅମ୍ରିତା ନନ୍ଦିପୁର ବଜାରରେ ଅଟକି ରହିଥିଲା । କିଛିସମୟ ପରେ ବର୍ଷା କମିବାରୁ ଘରକୁ ଯିବାକୁ ତରତର ହୋଇ ଅଟକିଥିବା ଦୋକାନର ଦୋକାନୀଠାରୁ ଏକ ଜରି ମାଗି ଅଳ୍ପ ଝିପିଝିପି ବର୍ଷା ହେଉଥିବାରୁ ମୁଣ୍ଡରେ ଜରି ଦେଇ ସାଇକେଲ ଚଢ଼ି ଘରକୁ ବାହାରିଥିଲା । ହେଲେ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ଝିଅ ଘରେ ନପହଞ୍ଚିବାରୁ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ । ଅମ୍ରିତାର ମାଆ ଟିଉସନ୍ ସାର୍‌, ସାଙ୍ଗମାନଙ୍କୁ ପଚାରିବାରେ ସେ ସନ୍ଧ୍ୟା ୬.୩୦ ସମୟରୁ ଘରକୁ ଗଲାଣି ବୋଲି ସମସ୍ତେ କହିଥିଲେ । ଏହାପରେ ପରିବାର ଲୋକେ ବ୍ୟସ୍ତ ହୋଇ ଗ୍ରାମର ପଡ଼ୋଶୀ ଯୁବକମାନଙ୍କୁ ଏହି ଘଟଣା କହିବା ପରେ ପଡ଼ୋଶୀ ଯୁବକମାନେ ତୁରନ୍ତ ନନ୍ଦିପୁର ବଜାରକୁ ଆସି ଖୋଜାଖୋଜି କରିଥିଲେ । ଏହାପରେ ବର୍ଷା ଛାଡ଼ିବା ପରେ ଅମ୍ରିତା ୭ଟା ସମୟରେ ଘରକୁ ଯାଇଛି ବୋଲି ବଜାରର କିଛି ପ୍ରତ୍ୟକ୍ଷଦର୍ଶୀ କହିବାପରେ ଗ୍ରାମବାସୀ ଓ ପଡ଼ୋଶୀ ପରିବାର ଲୋକେ ବଜାରଠାରୁ ଅମ୍ରିତା ଆସୁଥିବା ରାସ୍ତାର ଚାରିଆଡ଼େ ଖୋଜାଖୋଜି କରିଥିଲେ । ଦୀର୍ଘ ୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଖୋଜିବା ପରେ ବଜାରଠାରୁ ପ୍ରାୟ ୨୦୦ମି. ଦୂରରେ ରାସ୍ତା କଡ଼ରେ ଥିବା ପୋଖରୀ ପାହାଚ ଉପରେ ଅମ୍ରିତାର ବ୍ୟାଗ୍ ପଡ଼ିଥିବାର ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ଯୁବକମାନେ ପୋଖରୀରେ ଖୋଜାଖୋଜି କରିବା ପରେ ଭାସମାନ ଅବସ୍ଥାରେ ଅମ୍ରିତାକୁ ପାଇଥିଲେ । ପରେ ପରିବାର ଲୋକେ ଅମ୍ରିତାକୁ କାଳେ ବଞ୍ଚିଥିବ ଭାବି ଜିଲ୍ଲା ସଦରମହକୁମା ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ନେଇଆସିଥିଲେ । ଡାକ୍ତର ଅମ୍ରିତାକୁ ଦେଖିବା ପରେ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ଲାଗିରହିଥିବାବେଳେ ଅମ୍ରିତାଙ୍କ ପରିବାର ପକ୍ଷରୁ ଝିଅର ମୃତ୍ୟୁକୁ ନେଇ ଝିଅକୁ ହତ୍ୟା କରି ଉକ୍ତ ପୋଖରୀରେ ଫିଙ୍ଗାଯାଇଛି ବୋଲି ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ୪ ଦିନ ଆଗରୁ ଉକ୍ତ ରାସ୍ତାରେ ଟିଉସନ୍‌ରୁ ଯିବାଆସିବା ବାଟରେ କିଛି ଅସାମାଜିକ ଯୁବକ ଅମ୍ରିତାକୁ କମେଣ୍ଟ କରୁଥିବା ଅବସ୍ଥାରେ ଅମ୍ରିତାଙ୍କର ଉକ୍ତ ଯୁବକମାନଙ୍କ ସହିତ ବଚସା ହୋଇଥିଲା । ଏହି କମେଣ୍ଟମରାକୁ ନେଇ ଉକ୍ତ ଅସାମାଜିକ ଯୁବକମାନେ ରାଗରେ ତାକୁ ହତ୍ୟା କରିଥାଇପାରନ୍ତି ବୋଲି ପରିବାର ପକ୍ଷରୁ ସନ୍ଦେହ ପ୍ରକଟ କରାଯାଇ ଅଭିଯୋଗ କରାଯାଇଛି । ଉକ୍ତ ଅଭିଯୋଗକୁ ଭିତ୍ତିକରି ମଙ୍ଗଳପୁର ପୁଲିସ ପକ୍ଷରୁ ୩୭୬/୨୨ରେ ୩୦୨ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି । ଉକ୍ତ ଅଞ୍ଚଳ ଝୁମ୍ପୁରୀ ବିଟ୍ ହାଉସ୍ ଅଧିନରେ ଥିବାରୁ ବିଟ୍ ହାଉସ୍ ଅଧିକାରୀ ଘନଶ୍ୟାମ ହେଁସା ଉକ୍ତ ମାମଲାର ତଦନ୍ତ କରୁଛନ୍ତି । ଅମ୍ରତାଙ୍କ ମୃତଦେହ ଆଜି ଜିଲ୍ଲା ସଦରମହକୁମା ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅମ୍ରିତାର ମୃତ୍ୟୁ ହୋଇଥିବା ଘଟଣାସ୍ଥଳରେ ବିଟ୍ ହାଉସ୍ ଅଧିକାରୀ ପହଞ୍ଚି ବିଭିନ୍ନ ଦିଗରୁ ଅମ୍ରିତା ମୃତ୍ୟୁକୁ ନେଇ ତଦନ୍ତ କରିଥିବାବେଳେ ଦଶରଥପୁର ଦମକଳ ବାହିନୀକୁ ଡକାଇ ପୋଖରୀରୁ ଅମ୍ରିତାର ସାଇକେଲକୁ ପୁଲିସ ଉଦ୍ଧାର କରିଛି । ଅମ୍ରିତାର ମୃତ୍ୟୁକୁ ନେଇ ନାନା କଥା ଶୁଣାଯାଉଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଲିସ ଏହି ମୃତ୍ୟୁ ଉପରୁ ପର୍ଦ୍ଦା ହଟାଇପାରିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି । ଅମ୍ରିତାଙ୍କ ମୃତ୍ୟୁ ପରେ ଅମ୍ରିତା ପଢ଼ୁଥିବା ବିଦ୍ୟାଳୟ ସହ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

After killing the student