‘ଡେଲିଭରି ବୟ’ ପରେ ଭାଗ୍ୟ ଫିଟିଲା: ଶୈଳେନ୍ଦ୍ରଙ୍କ ହାତରେ ଏବେ ଅଫର୍ ପରେ ଅଫର୍

ଓଲିଉଡର ଜଣାଶୁଣା ନାୟକ ଶୈଳେନ୍ଦ୍ରଙ୍କ ହାତରେ ଏବେ ଢେର ଫିଲ୍ମ। ଏଇ ରଜରେ ତାଙ୍କ ଅଭିନୀତ ‘ଗୁଡୁ ଗ୍ୟାଙ୍ଗଷ୍ଟର୍’ ରିଲିଜ୍ ହେଉଛି। ଏଥିରେ ଶିବାନୀଙ୍କ ବିପକ୍ଷରେ ନଜର ଆସିବେ ସେ।
ଏଣେ ମିଳିଛି ଆଉଏକ ନୂଆ ସିନେମା। ଏହା ହେଲା ‘ଦଶମ’। ଏକ ଭିନ୍ନ ଧରଣର ଟିନ୍ ଲଜ୍ ଲଭଷ୍ଟୋରି ହେଉଛି ‘ଦଶମ’। ଏହି ସିନେମାର ନିର୍ଦ୍ଦେଶକ ହେଲେ ରାଜା ଡି। ସେ ଏହାର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି। ଏଥିରେ ନିଲାକ୍ଷୀ, ଅରମାନ, ମୀରା, ଜ୍ୟୋତି, ଆକାଶ ଓ ସିମରନଙ୍କ ଭଳି ନବାଗତମାନଙ୍କୁ ଦେଖିବାକୁ ମିଳିବ। କୁମାର ଶ୍ରୀ ସାହୁ ଏହାର ସଂଳାପ ଲେଖିଛନ୍ତି। ଗୌରବ ଆନନ୍ଦ ଏହାର ସଙ୍ଗୀତକାର। ତେଣେ ‘ହରଣ’ ଟାଇଟଲରେ ଏକ ନୂଆ ସିନେମାରେ ବି କାମ କରୁଛନ୍ତି ଶୈଳେନ୍ଦ୍ର।
ସୂଚନାଯୋଗ୍ୟ, ଶୈଳେନ୍ଦ୍ରଙ୍କୁ ନିକଟରେ ମୁକ୍ତିଲାଭ ‘ଡେଲିଭରି ବୟ’ରେ ଟାଇଟଲ ରୋଲରେ ଦେଖିବାକୁ ମିଳିଥିଲା। ଏଥିରେ ପ୍ରିୟମ୍ବଦା, ବୁଦ୍ଧାଦିତ୍ୟ ଓ ସୂର୍ଯ୍ୟମୟୀଙ୍କୁ ବି ଦେଖିବାକୁ ମିଳିଥିଲା। ଏହାର ନିର୍ଦ୍ଦେଶକ ହେଲେ ଅଶ୍ବିନୀ ତ୍ରିପାଠୀ। ବୈଦ୍ୟନାଥ ଦାଶ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ‘ଡେଲିଭରି ବୟ’ ପରେ ଶୈଳେନ୍ଦ୍ରଙ୍କ  ଭାଗ୍ୟ ଫିଟିଛି।