ଦିଲ୍ଲୀ ଅଘଟଣ ପରେ; ରାଜ୍ୟରେ ଅସୁରକ୍ଷିତ କୋଠାର ହେବ ଯାଞ୍ଚ

ଭୁବନେଶ୍ୱର: ଦିଲ୍ଲୀ ଅଘଟଣ ପରେ ରାଜ୍ୟରେ ଭଙ୍ଗାଯିବ ପୁରୁଣା କୋଠା । ସହରାଞ୍ଚଳରେ ଥିବା ଅସୁରକ୍ଷିତ ସରକାରୀ ଏବଂ ବେସରକାରୀ କୋଠା ଅନୁଧ୍ୟାନ କରିବାକୁ ରାଜ୍ୟରେ ଗଠନ ହେଲା ସ୍ବତନ୍ତ୍ର କମିଟି । ଏହି କମିଟି ଅସୁରକ୍ଷିତ କୋଠା ଗୁଡିକର ଯାଞ୍ଚ କରି ୧୫ ଦିନ ମଧ୍ୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ସହରାଞ୍ଚଳରେ ବିଭିନ୍ନ କୋଠା ଯାଞ୍ଚ କରିବେ ରାଜ୍ୟ ସରକାର । ଅସୁରକ୍ଷିତ ସରକାରୀ ଏବଂ ବେସରକାରୀ କୋଠା ଅନୁଧ୍ୟାନ କରାଯାଇ ନୋଟିସ କରାଯିବ । ନଗର ଉନ୍ନୟନ ବିଭାଗର କୋଠା ଦୁର୍ବଳ ଥିଲେ ତାକୁ ଭଙ୍ଗାଯାଇ ନୂଆ ନିର୍ମାଣ କରାଯିବ । ବେସରକାରୀ ହେଲେ ମଧ୍ୟ ସେମାନଙ୍କୁ ନୋଟିସ କରାଯିବ । ଗତକାଲି ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ସହରାଞ୍ଚଳରେ ନାଗରିକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବିପଦପୂର୍ଣ୍ଣ ଓ ଅସୁରକ୍ଷିତ କୋଠା ଗୁଡ଼ିକ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି । ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ସରକାରୀ ଓ ଘରୋଇ କୋଠା ଗୁଡ଼ିକୁ ଚିହ୍ନଟ କରି ଯାଞ୍ଚ, ମୂଲ୍ୟାଙ୍କନ ଓ ଆଇନାନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।