ଗତକାଲି ଏନଡିଏ ତରଫରୁ ଓଡିଶାରୁ ମୟୁରଭଞ୍ଜ ଜିଲ୍ଲାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି I ଏହାପରେ ଆଜି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରର ବିଭିନ୍ନ ମନ୍ଦିର ବୁଲି ପୂଜାର୍ଚ୍ଚନା କରି ଠାକୁର ଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ସମୟରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ। ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ସହରର ପୂର୍ଣ୍ଣନ୍ଦେଶ୍ୱରସ୍ଥିତ ଶିବ ମନ୍ଦିର ଦର୍ଶନ ନିମନ୍ତେ ଯାଇଥିବା ବେଳେ ସେଠାରେ ଝାଡ଼ୁ ମାରିଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ଉକ୍ତ ମନ୍ଦିର ଦର୍ଶନ ବେଳେ ଶ୍ରୀମତୀ ମୁର୍ମୁ ମନ୍ଦିର ପରିସରକୁ ଝାଡ଼ୁ ମାରି ସଫା କରିଥିବା ବେଳେ ଆଜି ବି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ସହିତ ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିଥିଲେ। ରାଇରଙ୍ଗପୁରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟକୁ ଯାଇ ପ୍ରାର୍ଥନା କରିଥିଲେ। ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସାନ୍ତାଳୀଙ୍କ ଆରାଧନା ପୀଠ ଜାହିରା ଯାଇ ଦ୍ରୌପଦୀ ମୁର୍ମୁ ପୂଜାର୍ଚ୍ଚନା କରିଥିଲେ।
ଏହାପରେ ଆଜି ସେ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛିି । ଏହାପରେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବା ସମ୍ଭାବନା ଅଛି । ଗତକାଲି ସଂସଦୀୟ ବୋର୍ଡ ବୈଠକ ପରେ ଦ୍ରୌପଦୀଙ୍କ ନାଁକୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ।
ଦ୍ରୌପଦୀ ମୁର୍ମୁ ଜାତୀୟ ରାଜନୀତିର ଜଣେ ଜଣାଶୁଣା ଆଦିବାସୀ ଚେହେରା । ଯିଏ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡଖଣ୍ଡର ରାଜ୍ୟପାଳ ଥିଲେ । ୨୦୦୦ରେ ବିଧାୟିକା ଭାବେ ରାୟରଂଗପୁରରୁ ନିର୍ବାଚିତ ହୋଇଥିଲେ । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ନବୀନଙ୍କ କ୍ୟାବିନେଟରେ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରି ବଡ ମାଷ୍ଟର ଷ୍ଟ୍ରୋକ ଖେଳିଛି ବିଜେପି ନେତୃତ୍ୱାଧିନ ଏନଡିଏ । ଏବେ ଦୌପଦୀ ମୁର୍ମୁଙ୍କ ଟକ୍କର ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ସହ ହେବ । ଯଶୋବନ୍ତଙ୍କୁ ଗତକାଲି ସନ୍ଧ୍ୟାରେ ବିରୋଧୀ ପ୍ରାର୍ଥୀ ଘୋଷଣା କରାଯାଇଥିଲା ।