ନୂଆଦିଲ୍ଲୀ: ପାକିସ୍ତାନ ପାଇଁ କରଜ ଓ ପାଣି ସମସ୍ୟା ବଢିବାରେ ଲାଗିଥିବା ବେଳେ ଅନ୍ୟପଟେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବନ୍ଧୁତା ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପହଲଗାମ ଘଟଣାରେ ଭାରତର ସମର୍ଥନ କରିଥିବାରୁ ଆଫଗାନିସ୍ତାନକୁ ଧନ୍ୟବାଦ ଜଣାଇଲା ଭାରତ । ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାନ୍ ମୁସ୍ତାକିଙ୍କ ସହ କଥା ହୋଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ଏହି ଐତିହାସିକ କଥାବାର୍ତ୍ତାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଫଗାନ ଜନତାଙ୍କ ସହିତ ଭାରତର ପାରମ୍ପରିକ ବନ୍ଧୁତା ସହିତ ବିକାଶ ପାଇଁ ନିରନ୍ତର ସମର୍ଥନ ବିଷୟରେ କହିଛନ୍ତି । ତାଲିବାନ ସରକାର ପହଲଗାମ ଆକ୍ରମଣକୁ ସାର୍ବଜନୀନ ଭାବେ ନିନ୍ଦା କରିଛନ୍ତି । ଭାରତ ଓ ତାଲିବାନ ମଧ୍ୟରେ ପ୍ରଥମ ମନ୍ତ୍ରୀସ୍ତରୀୟ ଆଲୋଚନା । ପହଲଗାମ ଆକ୍ରମଣକୁ ଆଫଗାନିସ୍ତାନ ନିନ୍ଦା କରିବା ସହ ଭାରତର ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଜଣାଇଥିଲା । ପୂର୍ବରୁ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସଂପର୍କକୁ ଦୃଢ କରିବା ପାଇଁ ୩ ଥରରୁ ଅଧିକ କଥାବାର୍ତ୍ତା ହୋଇଛନ୍ତି । ତେବେ ପହଲଗାମ ଆକ୍ରମଣ ପରେ ଏହା ଦ୍ଵିତୀୟ ଥର ପାଇଁ କଥାବାର୍ତ୍ତା । ଅପରେସନ ସିନ୍ଦୂର ସମୟରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ଖରାପ କରିବାକୁ ଗୁଜବ ସୃଷ୍ଟି କରିଥିଲା ପାକିସ୍ତାନ । ଭାରତର ଏକ ମିସାଇଲ୍ ଆଫଗାନିସ୍ତାନରେ ପଡ଼ିଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା । ଯାହାକୁ ଆଫଗାନିସ୍ତାନ ପକ୍ଷରୁ ଖଣ୍ଡନ କରାଯାଇଥିଲା ।