ଆଦିତ୍ୟ ପାଢ଼ୀଙ୍କୁ ଜାତୀୟ ସ୍ତରରେ ଗୁରୁ ଦାୟିତ୍ୱ

ଭୁବନେଶ୍ୱର୍‌: ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସକ ଆଦିତ୍ୟପ୍ରସାଦ ପାଢ଼ୀଙ୍କୁ ସର୍ବଭାରତୀୟ ରାଜ୍ୟ ନିର୍ବାଚନ କମିଶନରଙ୍କ ସ୍ଥାୟୀ କମିଟିର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟ ନିର୍ବାଚନ କମିଶନ(ଏସ୍‍ଇସି) ଥିବା ଶ୍ରୀ ପାଢ଼ୀ ହେଉଛନ୍ତି ଦେଶର ଅନ୍ୟତମ ବରିଷ୍ଠ ରାଜ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ ସମ୍ବନ୍ଧୀୟ ମାମଲା ପରିଚାଳନା କରିବାରେ ତାଙ୍କର ସୁଦୀର୍ଘ ଅଭିଜ୍ଞତା ରହିଛି । ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ସର୍ବ ଭାରତୀୟ ରାଜ୍ୟ ର୍ନିବାଚନ କମିଶନରଙ୍କ ବୈଠକରେ ଶ୍ରୀ ପାଢୀଙ୍କୁ ଏସ୍‍ଇସିର ଜାତୀୟ କମିଟିର ମୁଖ୍ୟ ଭାବରେ ଚୟନ କରାଯାଇଥିଲା । ଓଡ଼ିଶାରେ ସବୁଠାରୁ ଅଧିକ ସମୟ ଧରି ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିଥିବା ଶ୍ରୀ ପାଢ଼ୀ ଅଗଷ୍ଟ ୨୦୧୯ ରୁ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି ଏବଂ ରାଜ୍ୟ ର୍ନିବାଚନ ଆୟୋଗ ଦ୍ୱାରା ପଞ୍ଚାୟତ ଓ ପୌର ନିର୍ବାଚନରେ ଅନେକ ସଂସ୍କାର ଆଣିବାରେ ସକ୍ଷମ ହୋଇଛନ୍ତି । ଶ୍ରୀ ପାଢ଼ୀ ରାଜ୍ୟରେ ଉଭୟ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବାରେ ସକ୍ଷମ ହୋଇଛନ୍ତି ଏବଂ ବର୍ତ୍ତମାନ ନିର୍ବାଚିତ ପ୍ରତିନିଧିମାନେ ସେମାନଙ୍କର କାର୍ଯ୍ୟ କରୁଛନ୍ତି । ସର୍ବ ଭାରତୀୟ ରାଜ୍ୟ ନିର୍ବାଚନ ଆୟୋଗର ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବରେ ସେ ବିଭିନ୍ନ ରାଜ୍ୟ ଗସ୍ତରେ ଯାଇ ରାଜ୍ୟ ନିର୍ବାଚନ କମିଶନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ରାଜ୍ୟଦ୍ୱାରା କରାଯାଇଥିବା ସଂସ୍କାର ବିଷୟରେ ଜ୍ଞାନ ସଂଗ୍ରହ କରିବେ । ପୌର ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ଅନେକ ରାଜ୍ୟ ନିର୍ବାଚନ କମିଶନର ସଂସ୍କାର ଆଣୁଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ସଫଳ ସଂସ୍କାର ପଦକ୍ଷେପକୁ ସେ ଅନ୍ୟ ରାଜ୍ୟମାନଙ୍କୁ ଅବଗତ କରିବା ସହିତ ସେଗୁଡିକୁ କାର୍ଯ୍ୟକାରୀ ଲାଗି ପରାମର୍ଶ ଦେବେ ବୋଲି ଅଧିକାରୀମାନେ କହିଛନ୍ତି ।