ଭୁବନେଶ୍ବର: ବିଦେଶରେ ଇସ୍କନ ପକ୍ଷରୁ ବାରମ୍ବାର ଆୟୋଜନ କରାଯାଉଥିବା ଅଦିନିଆ ରଥଯାତ୍ରା ଉପରେ ରୋକ ଲଗାଇବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଗଜପତି ମହାରାଜାଙ୍କ ବାରମ୍ବାର ଅନୁରୋଧ ଓ ଚେତାବନୀ ସତ୍ତ୍ୱେ ଇସ୍କନ ନିଜ ଜିଦ୍ରୁ ଓହରୁ ନଥିବାରୁ ଏବେ ଏହି ମାମଲାରେ ସେମାନେ ଦେଶର ସର୍ବୋଚ୍ଚ ନେତୃତ୍ୱଙ୍କ ସହ ଆଲୋଚନା କରିବେ। ମହାପ୍ରଭୁଙ୍କ ଚଳିତ ବର୍ଷର ନିଳାଦ୍ରୀ ବିଜେ ନୀତି ସମ୍ପନ୍ନ ହେବା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ନୂଆଦିଲ୍ଲୀ ଗସ୍ତ କରିବେ। ସେଠାରେ ସେମାନେ ମାନ୍ୟବର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଇସ୍କନର ଏହି ଅଶାସ୍ତ୍ରୀୟ ପରମ୍ପରା ସମ୍ପର୍କରେ ଅବଗତ କରାଇବା ସହ ଏହା ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଇବାକୁ ଦାବି କରିବେ। ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।