ପାରାଦୀପ ବନ୍ଦରର ୨ଟି ବର୍ଥର ପରିଚାଳନା ଦାୟିତ୍ୱ ନେଲା ଆଦାନୀ ଗ୍ରୁପ୍

ଭୁବନେଶ୍ୱର: ଆଗାମୀ ୩୦ବର୍ଷ ପାଇଁ ଦେଶର ଦ୍ୱିତୀୟ ସର୍ବବୃହତ୍ ପାରାଦୀପ ବନ୍ଦରର ୨ଟି ବର୍ଥର ପରିଚାଳନା ଦାୟିତ୍ୱ ନେଇଛି ଆଦାନୀ ଗ୍ରୁପ୍। ବିଡିଂ ପ୍ରକ୍ରିୟାରେ ସର୍ବାଧିକ ବିଡିଂଧାରୀ ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ ଜୋନ୍ ପାରାଦ୍ୱୀପ ବନ୍ଦରର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଡ୍ରାଏ-ବଲକ୍ ବର୍ଥ ‘ସିକ୍ୟୁ-୧’ ଓ ‘ସିକ୍ୟୁ-୨’ର ବିକାଶ ତଥା ପରିଚାଳନା ପାଇଁ ଲେଟର ଅଫ୍ ଆୱାର୍ଡ ହାସଲ କରିଛି।ପ୍ରାୟ ୯୮୨ କୋଟି ଟଙ୍କା (୧୦୩ ନିୟୁତ ଡଲାର) ବ୍ୟୟ ଅଟକଳରେ ଏହି ମେଗା ପ୍ରକଳ୍ପଟି ପିପିପି ମୋଡରେ ବିଲ୍ଡ-ଅପରେଟ୍‌-ଟ୍ରାନ୍ସଫର (ବିଓଟି) ମଡେଲରେ କାର୍ଯ୍ୟକାରୀ ହେବ। ଏହି ଦୁଇଟି ବର୍ଥର ମୋଟ ଦୈର୍ଘ୍ୟ ପ୍ରାୟ ୪୮୫ ମିଟର ରହିବ ଓ ଏହାକୁ ଏକ କମନ୍‌-ୟୁଜର ଫାସିଲିଟି ଭାବେ ବିକଶିତ କରାଯିବ। ଏଠାରେ ସମ୍ପୂର୍ଣ୍ଣ ମେକାନାଇଜଡ୍ କାର୍ଗୋ ହ୍ୟାଣ୍ଡଲିଂ ସିଷ୍ଟମ ସହିତ ଗଭୀର ଡ୍ରାଫ୍ଟ ଥିବା ବିଶାଳ ଜାହାଜ ଲାଗିବା ଓ ବିପୁଳ ପରିମାଣର ସାମଗ୍ରୀ ଗଚ୍ଛିତ ରଖିବା ପାଇଁ ଅତ୍ୟାଧୁନିକ ଷ୍ଟୋରେଜ୍ ଭିତ୍ତିଭୂମି ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି l ଏହି ଦୁଇଟି ବର୍ଥ କାର୍ଯ୍ୟକ୍ଷମ ହେବାପରେ ବାର୍ଷିକ ୧୮ ନିୟୁତ ଟନ୍ ବିଶିଷ୍ଟ ମାଲ ପରିବହନ କ୍ଷମତା ସୃଷ୍ଟି ହୋଇପାରିବ। ଏହାଫଳରେ ସମଗ୍ର ଭାରତରେ ଆଦାନୀ ପୋର୍ଟସର ମୋଟ ବାର୍ଷିକ କାର୍ଗୋ ନିୟନ୍ତ୍ରଣ କ୍ଷମତା ୬୫୩ ନିୟୁତ ଟନରୁ ବୃଦ୍ଧି ପାଇ ୬୭୧ ନିୟୁତ ଟନରେ ପହଂଚିଯିବ। ଓଡ଼ିଶା ତଥା ଏହାର ଆଖପାଖ ରାଜ୍ୟଗୁଡ଼ିକର କୋଇଲା, ଲୁହାପଥର, ଚୂନପଥର ଓ ଇସ୍ପାତ ଶିଳ୍ପର କଂଚାମାଲ ପରିବହନରେ ଏହି ବର୍ଥ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ।