ବିଜେଡି ଛାଡ଼ିଲେ ଅଭିନେତା ଅରିନ୍ଦମ

ଭୁବନେଶ୍ବର: ବିଜେଡି ଛାଡ଼ିଲେ ଅଭିନେତା ଅରିନ୍ଦମ ରାୟ । ସାଧାରଣ ସଂପାଦକ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅରିନ୍ଦମ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର । କିଛି ଦିନ ଧିରି ଦଳ ସହ ସମ୍ପର୍କ ଠିକ୍ ନଥିବା ହେଉଥିଲା ଚର୍ଚ୍ଚା । ଅନେକ ସମୟରେ ଗଣମାଧ୍ୟମରେ ପ୍ରତିକ୍ରୟା ରଖିଥିଲେ ଅରିନ୍ଦମ ସେ ଦଳରେ ଅନେକ ଦିନ ହେବ କାର୍ଯ୍ୟ କରିଛନ୍ତି । ହେଲେ ଦଳ ତାଙ୍କୁ କୌଣସି ପଦ ପଦବୀ ଦେଇନି, ଯାହାକୁ ନେଇ ଅରିନ୍ଦମ ଅସନ୍ତୁଷ୍ଟ ଥିଲେ । ଯାହା ପାଇଁ ଆଜି ସେ ବିଜେଡି ଛାଡ଼ିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଇସ୍ତଫା ପତ୍ରରେ ନବୀନ ପଟ୍ଟନାୟକଙ୍କ ପାଖରେ ନିଜ କ୍ଷୋଭ ଜଣାଇଲେ ଅରିନ୍ଦମ । ତାଙ୍କ କାର୍ଯ୍ୟକୁ ଦଳରେ ମର୍ଯ୍ୟାଦା ମିଳୁନଥିବା କହିଛନ୍ତି । ଏହା ସହ ସେ କହିଛନ୍ତି ଅନେକ ଥର ଆପଣଙ୍କୁ ଭେଟିବାକୁ ଚାହିଁଥିଲେ ବି ସୁଯୋଗ ମିଳୁନି । ଆପଣଙ୍କୁ ଭେଟିବାର ମାପଦଣ୍ଡ ପୂରଣ କରୁନଥିବା ଅନୁଭବ କରୁଛି । ଆପଣଙ୍କ ଦଳରେ ମୋର ସ୍ଥାନ କିଛି ନୁହେଁ ବୋଲି ଭାବୁଛି । ଆଶା ମୋ ପରିସ୍ଥିତି ବୁଝିବେ  ମୋ ଉପରେ କିଛି ଆକ୍ରୋଶ ରଖିବେନି ।

ଦୁଇ ମାସ ତଳେ କଟକ ଧବଳେଶ୍ୱରଠାରେ ଡାକବଙ୍ଗଳାରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଥିବା ବେଳେ ତାଙ୍କୁ ଅରିନ୍ଦମ ଭେଟିବା ସହ ଫୁଲତୋଡା ଦେଇଥିଲେ । ଦୁଇ ଜଣଙ୍କ ମଧ୍ୟରେ ପାଖାପାଖି ୩୦ ମିନିଟ୍ ଧରି ରୁଦ୍ଧଦ୍ୱାର ଆଲୋଚନା ହୋଇଛି ।  ଦୁଇ ଜଣଙ୍କ ଫଟୋ ସାମ୍ନାକୁ ଆସିବା ପରେ ତାଙ୍କୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ଏବେ ବିଜେଡି ଛାଡ଼ିବା ପରେ ଅରିନ୍ଦମ ବିଜେପିକୁ ଯିବା ନେଇ ଚର୍ଚ୍ଚା ହେଉଛି ।