ଶ୍ରୀମନ୍ଦିର ପ୍ରଶାସନର ଆପତ୍ତି ପରେ ଆକ୍ସନ: ରାଜସ୍ଥାନ ସିକରରେ ଅଦିନିଆ ରଥଯାତ୍ରା ଉପରେ ଜିଲ୍ଲାପାଳଙ୍କ ରୋକ

ଭୁବନେଶ୍ବର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୃଢ଼ ଆପତ୍ତି ପରେ ରାଜସ୍ଥାନର ସିକର ଜିଲ୍ଲା ପ୍ରଶାସନ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ମହାପ୍ରଭୁଙ୍କ ବିଧି ଓ ପରମ୍ପରାକୁ ଉଲ୍ଲଂଘନ କରି ଆୟୋଜନ କରାଯାଉଥିବା ଅଦିନିଆ ରଥଯାତ୍ରା ଉପରେ ସିକର ଜିଲ୍ଲାପାଳ ଆଶିଷ ମୋଦି ତୁରନ୍ତ ରୋକ ଲଗାଇବା ସହ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ସିକରଠାରେ ‘ବିଶ୍ୱ ସନାତନ ଧର୍ମ ସେବା ସଂସ୍ଥାନ’ ଏବଂ ‘ଶ୍ରୀ ଖାତୁ ଶ୍ୟାମ ମଣ୍ଡଳ’ ପକ୍ଷରୁ ଆଜି ଏକ ରଥଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା। ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଏହି ଅଦିନିଆ ରଥଯାତ୍ରା ସମ୍ପର୍କରେ ଜଣାପଡ଼ିବା ପରେ ପୁରୀ ପ୍ରଶାସନ ତତ୍କାଳ ତତ୍ପରତା ପ୍ରକାଶ କରିଥିଲା। ଶ୍ରୀମନ୍ଦିର ଉପ-ମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏ ନେଇ ସିକର ଜିଲ୍ଲା କଲେକ୍ଟରଙ୍କୁ ଏକ ଜରୁରୀ ଚିଠି ଲେଖିଥିଲେ। ସନାତନ ଧର୍ମର ପାରମ୍ପରିକ ତିଥି ଓ ପ୍ରଥା ଅନୁଯାୟୀ ହିଁ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରାଯିବା ଉଚିତ ବୋଲି ଚିଠିରେ ଉଲ୍ଲେଖ କରି ଏହି ବେଆଇନ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ସେ ଅନୁରୋଧ କରିଥିଲେ। ପୁରୀ ପ୍ରଶାସନର ଏହି ଅନୁରୋଧକୁ ରକ୍ଷା କରି ସିକର ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

Action taken following objection by Srimandir Administration: District Collector halts 'out-of-season' Rath Yatra in Sikar