ଭୁବନେଶ୍ବର: ଯାଜପୁର ଜିଲ୍ଲାରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିବାହ ଭୋଜି ସାରି ଘରକୁ ଫେରୁଥିବା ବେଳେ ଏକ ବୋଲେରୋ ଗାଡ଼ି ଛିଡ଼ା ହୋଇଥିବା ହାଇୱାକୁ ପଛପଟୁ ଧକ୍କା ଦେବାରୁ ୫ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ଅନ୍ୟ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବଡ଼ଚଣା ବ୍ଲକ୍ ପୁରସ୍ତମପୁର ଶବର ସାହି ଗ୍ରାମର କିଛି ଲୋକ କେନ୍ଦୁଝର ଅଭିମୁଖେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ଜେନାପୁର ଥାନା ବରଡ଼ା ବେହେରା ଟାଙ୍କୀ ଛକ ନିକଟରେ ଦୁର୍ଘଟଣା ଘଟିଥିଲା। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ହାଇୱାକୁ ବୋଲେରୋଟି ପ୍ରଚଣ୍ଡ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ବୋଲେରୋର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି।