ଶବ ସତ୍କାର ସାରି ଫେରୁଥିବା ବେଳେ ଦୁର୍ଘଟଣା, ୧ ମୃତ, ୪ ଗୁରୁତର

ଆଳି : ଶବ ସତ୍କାର ସାରି ପୁରୀରୁ ଫେରୁଥିବା ବାଟରେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୫ଜଣ ଗୁରୁତର ଆହତ ହୋଇଛନ୍ତି। କଟକ-ଚାନ୍ଦବାଲି ରାସ୍ତାର ଆଳି ଭୁଇଁପୁରଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଗୁରୁତରଙ୍କୁ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ତେବେ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବାବେଳେ ରାସ୍ତାରେ ଜୟନଗର ସରପଞ୍ଚ ପ୍ରଦୀପ୍ତ ଦାସ(୫୦)ଙ୍କ ମୂତ୍ୟୁ ଘଟିଛି।

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା କୋଇଲିପୁର ଗାଁର ନିରାକାର ବେହେରାଙ୍କ ପତ୍ନୀ ଜୟନ୍ତୀ ବେହେରାଙ୍କର ଗତକାଲି ପରଲୋକ ହୋଇଥିଲା। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶବ ସତ୍କାର ହୋଇଥିଲା। ସଂପର୍କୀୟମାନେ ଶବ ସତ୍କାର ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଭୁଇଁପୁର ଛକ ନିକଟ ରାସ୍ତା କଡ଼ରେ ଏକ ଟ୍ରକ୍ ଛିଡ଼ା ହୋଇଥିବା ବେଳେ କଟକ ପଟରୁ ଦ୍ରୁତ ଗତିରେ ଅଲ୍ଟୋ କାର୍‌ଟି ତା’ ପଛରେ ପିଟି ହୋଇଥିଲା। ଦୁର୍ଘଟଣାରେ ଅଲଟୋ କାର ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ କାର୍ ଭିତରେ ଥିବା ଜୟନଗର ସରପଞ୍ଚ ପ୍ରଦୀପ ଦାସ,କୋଇଲିପୁରର ନିରାକାର ବେହେରା, ଜ୍ୟୋତି ପ୍ରକାଶ ବେହେରା, କାର୍ତ୍ତିକ ସାହୁ ଓ ଡ୍ରାଇଭର ରାଜକିଶୋର ଲେଙ୍କା ଗୁରୁତର ଆହତ ହୋଇଥିଲେ। ନିଆଳ ଗ୍ରାମର ଜନୈକ ଯୁବକଙ୍କ ଚିରଞ୍ଜିବୀ ଦାସଙ୍କ ସମେତ ସ୍ଥାନୀୟ ଲୋକମାନେ ରକ୍ତଜୁଡୁବୁଡୁ ୫ ଆହତଙ୍କୁ ବହୁ କଷ୍ଟରେ ଉଦ୍ଧାର କରି ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହସ୍ପିଟାଲରେ ଜଣେ ମୃତ୍ୟୁବରଣ କରିଥିବା ଜଣାପଡିଛି ।