ଭୁବନେଶ୍ୱର: ଶନିବାର ସନ୍ଧ୍ୟାରେ ଫାୟାର୍ ଷ୍ଟେସନ୍ ଓଭର୍ ବ୍ରିଜ୍ ଉପରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି l ଭୁବନେଶ୍ବର ରସୁଲଗଡ଼ ପଟୁ ଗୋଟିଏ ସ୍କୁଟି ଏବଂ ଅନ୍ୟ ଏକ ବାଇକ୍ରେ ୪ଜଣ ଆସୁଥିଲେ। ଫାୟାର ଷ୍ଟେସନ ସମ୍ମୁଖ ଓଭର ବ୍ରିଜ୍ ଉପରେ ପଛପଟରୁ ଆସୁଥିବା ଏକ ଟ୍ରକ୍ ଉଭୟ ବାଇକ୍ ଏବଂ ସ୍କୁଟିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ରହିଛନ୍ତି । ଟ୍ରକ ଡ୍ରାଇଭରର ବେପରୁଆ ଡ୍ରାଇଭିଂ ପାଇଁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଖଣ୍ଡଗିରି ଥାନା ପୋଲିସ ଟିମ୍ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ । ଗୁରୁତର ହୋଇଥିବା ଯୁବତୀଙ୍କ ଚିକିତ୍ସା ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇ ଟ୍ରକଟି ଖୋର୍ଦ୍ଧା ଅଭିମୁଖେ ଅତ୍ୟଧିକ ବେଗରେ ପଳାଇ ଯାଇଛି । ସିସିଟିଭି ଫୁଟେଜ୍ ଯାଞ୍ଚ କରି ପୋଲିସ ଉକ୍ତ ଟ୍ରକକୁ ଜବତ କରିବାକୁ ପ୍ରୟାସ କରୁଛି । ଦୁର୍ଘଟଣା ପରେ ଓଭରବ୍ରିଜ ଉପରେ ଟ୍ରାଫିକ ଜାମ ହୋଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟତ ଠପ୍ ରହିଥିଲା । ଟ୍ରାଫିକ ପୁଲିସ ଭିଡ ନିୟନ୍ତ୍ରଣ କରିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା।