ବ୍ରହ୍ମପୁର ବଡ଼ ମେଡିକାଲରେ ଅଘଟଣ : ଇଞ୍ଜେକସନର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ୨୧ ରୋଗୀ ଗୁରୁତର

ବ୍ରହ୍ମପୁର :୨୯-୦୭-୨୦୨୨ (ପି.ଏନ.ଏ): ବ୍ରହ୍ମପୁର ବଡ଼ ମେଡିକାଲରେ ଅଘଟଣ I ଇଞ୍ଜେକସନର ପାର୍ଶ୍ୱ ପ୍ରତିକ୍ରିୟା ପରେ ୨୧ ଜଣ ରୋଗୀ ଗୁରୁତର ହୋଇପଡିଛନ୍ତି । ସେମାନଙ୍କ ଭିତରୁ କିଛି ଜଣଙ୍କୁ ଅକ୍ସିଜେନ ଦିଆଯାଇ ଅଧିକ ଚିକିତ୍ସା କରାଯାଉଛି । ଗ୍ୟାସଟ୍ରିକ ସମସ୍ୟାରେ ପୀଡିତ ହୋଇଥିବା ରୋଗୀମାନଙ୍କୁ ଆଜି ଏମକେସିଜିରେ ଇଞ୍ଜେକସନ ଦିଆଯାଇଥିଲା । ହେଲେ ଏହି ଇଞ୍ଜେକସନ୍ ନେବା ପରେ ଜଣଙ୍କ ପରେ ଜଣେ ରୋଗୀଙ୍କ କ୍ଷେତ୍ରରେ ରିଆକ୍ସନର ପ୍ରଭାବ ଦେଖିବାକୁ ମିଳିଥିଲା । ଏପରି ଅଘଟଣ ଆଜି ସକାଳେ ବ୍ରହ୍ମପୁରସ୍ଥିତ ଏମକେସିଜିର ମେଡିସିନ ୱାର୍ଡ ୧ନଂ ୟୁନିଟରେ ଘଟିଛି।

ବ୍ରହ୍ମପୁର ଏମକେସିଜିରେ ଜ୍ୱର, ଝାଡ଼ାବାନ୍ତି, ମ୍ୟାଲେରିଆରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରାଯାଏ । ଆଜି ସକାଳେ ରୁଟିନ ଚେକଅପ୍‌ କରାଯାଇ ସବୁ ରୋଗୀଙ୍କୁ ଆଣ୍ଟିବାଟିକ, ଗ୍ୟାଷ୍ଟିକ ଓ ବାନ୍ତି ଇଞ୍ଜେକସନ ଦିଆଯାଇଥିଲା। ଏହାର କିଛି ସମୟ ପରେ ପ୍ରାୟ ୨୧ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା। ହଠାତ୍‌ ସେମାନେ ଥରିବାକୁ ଲାଗିଲେ।
ଏହାକୁ ନେଇ ହସ୍ପିଟାଲ ପରିସରରେ ରୋଗୀ ଏବଂ ସଂପର୍କୀୟଙ୍କ ମଧ୍ୟରେ କିଛି ସମୟ ଧରି ଆତଙ୍କ ସୃଷ୍ଟି ହୋଇଥିଲ।। ହସ୍ପିଟାଲ କର୍ତୃପକ୍ଷ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ସାଧାରଣତଃ ଗ୍ୟାସଟ୍ରିକ ରୋଗୀଙ୍କୁ ଦିଆଯାଉଥିବା ଇଂଜେକସନରେ ପ୍ରତିିକ୍ରିୟା ରୁହେନି । ଏପରି ସ୍ଥିତିରେ କାହିଁକି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲା ତାକୁ ନେଇ ପ୍ରଶ୍ନ ଉଠିଛି । ଭୁଲ ଇଞ୍ଜେକସନ କିମ୍ବା ଏକ୍ସପାଏରୀ ଇଞ୍ଜେକସନ ଦିଆଯାଇଛି କି ବୋଲି ପ୍ରଶ୍ନ ଆସୁଛି । ତେବେ ବର୍ତ୍ତମାନ ସୁଦ୍ଧା ୨୧ ଜଣଙ୍କ ମଧ୍ୟରୁ ଏବେ ପ୍ରାୟ ୧୨ରୁ ଅଧିକ ଜଣଙ୍କୁ ଅକ୍ସିଜେନ ସପୋର୍ଟ ଦିଆଯାଇଛି।