ମର୍ମନ୍ତୁଦ ଦୁର୍ଘଟଣାରେ ଚାଲି ଗଲା ଜୀବନ : ଅଧାରେ ରହିଗଲା ଜଗା ଦର୍ଶନ

ଢେଙ୍କାନାଳ : ବାଇକ ଯୋଗେ ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ବେଳେ ଗୋଟିଏ ପରିବାର ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଢେଙ୍କାନାଳ ସହର ଉପକଣ୍ଠ ଆନନ୍ଦ ନଗର ନିକଟରେ ଏକ ତେଲ ଟ୍ୟାଙ୍କର ତାଙ୍କ ବାଇକକୁ ପଛପଟୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ବାଇକରେ ଯାଉଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ୱାମୀ ଆହତ ହୋଇଛନ୍ତି। ତେବେ ବାଇକରେ ଥିବା ତାଙ୍କର ଦେଢ଼ ବର୍ଷର ଶିଶୁ ସୁରକ୍ଷିତ ଥିବା ଜଣାପଡ଼ିଛି । ମୃତକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାରିହାପୁର ଗ୍ରାମର । ମୃତ ମହିଳା ରଶ୍ମିରଞ୍ଜନ ଖୁଣ୍ଟିଆଙ୍କ ପତ୍ନୀ ୨୦ବର୍ଷୀୟା ଲୁସି ଖୁଣ୍ଟିଆ ବୋଲି ଜଣାପଡିଛି। ଏହି ଦୁର୍ଘଟଣାରେ ରଶ୍ମି ରଞ୍ଜନ ଆହତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବାଇକ ଯୋଗେ ସ୍ୱାମୀ ସ୍ତ୍ରୀ ତାଙ୍କର ଦେଢ଼ ବର୍ଷର ଶିଶୁ ପୁତ୍ରକୁ ନେଇ ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ବେଳେ ଆନନ୍ଦ ନଗର ଛକରେ ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ପଛରୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ଦୁର୍ଘଟଣା ସ୍ଥଳରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଜାତୀୟ ରାଜପଥ ରେ କଲେଜ ବାଇଲାସ ଓଭର ବ୍ରିଜ ନିର୍ମାଣ ଯୋଗୁଁ ତିଆରି ହୋଇଥିବା ସର୍ଭିସ ରୋଡ଼ ଅଣା ଓସାରିଆ ଯୋଗୁଁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ । ଯାହାକୁ ନେଉ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସ୍ଥଳକୁ ଟାଉନ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏନ୍‌ ଏଚ୍ କର୍ତ୍ତୃପକ୍ଷଙ୍କୁ ଲୋକଙ୍କ ଦାବିକୁ ଜଣାଇ ଉଚିତ ପଦକ୍ଷେପ ନେବାକୁ ପ୍ରତିଶୃତି ପରେ ରାସ୍ତା ଅବରୋଧରୁ ହଟିଥିଲେ ସ୍ଥାନୀୟ ଲୋକେ । ପରେ ସକାଳ ପ୍ରାୟ ୯ଟା ସମୟରେ ରାସ୍ତାରେ ଯାତାୟାତ ସ୍ୱାଭାବିକ ହୋଇଥିଲା । ସେପଟେ ଦୁର୍ଘଟଣା ଘଟାଇଥିବା ତେଲ ଟ୍ୟାଙ୍କରକୁ ପୁଲିସ ଜବତ କରିଥିବାବେଳେ ଡ୍ରାଇଭର ଫେରାର ହୋଇଯାଇଛି।