ଗୌରୀ ସ୍ପ୍ରେଟ୍‌ଙ୍କୁ ବିବାହ କଲେ ଆମିର ଖାନ୍‌

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଆମିର ଖାନ୍‌ ୬୧ ବର୍ଷ ବୟସରେ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ଦୁଇଟି ବିବାହ ବିଚ୍ଛେଦ ପରେ ସେ ତାଙ୍କ ବାନ୍ଧବୀ ଗୌରୀ ସ୍ପ୍ରେଟ୍‌ଙ୍କୁ କୋର୍ଟ ମ୍ୟାରେଜ୍‌ (ପଞ୍ଜିକୃତ ବିବାହ) କରିଥିବା ସୂଚନା ମିଳିଛି। ମୁମ୍ବାଇର ବାନ୍ଦ୍ରାସ୍ଥିତ ପାଲି ହିଲ୍‌ ବାସଭବନରେ କେବଳ ପରିବାର ସଦସ୍ୟ ଏବଂ କିଛି ଅତି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଛି। ସୂଚନା ଅନୁଯାୟୀ, ରବିବାର ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ ମିନିଟ୍‌ରେ ଉଭୟ ବିବାହ ପଞ୍ଜିକରଣ ପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ସମୟରେ ଆମିରଙ୍କ ପୁଅ ଆଜାଦ ଏବଂ ଗୌରୀଙ୍କ ପୂର୍ବ ବିବାହର ପୁଅ ମଧ୍ୟ ଉପସ୍ଥିତ ଥିଲେ। ଶିଳ୍ପପତି ମୁକେଶ ଅମ୍ବାନୀ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କ ସମେତ କିଛି ପ୍ରମୁଖ ବ୍ୟକ୍ତିତ୍ୱ ଏହି ଅବସରରେ ଯୋଗ ଦେଇଥିବା ଚର୍ଚ୍ଚା ହେଉଛି। ଆମିର ଖାନ୍‌ଙ୍କ ବ୍ୟକ୍ତିଗତ ଜୀବନ ସଦାବେଳେ ଚର୍ଚ୍ଚାରେ ରହିଆସିଛି। ସେ ପ୍ରଥମେ ରୀନା ଦତ୍ତଙ୍କୁ ବିବାହ କରିଥିଲେ, ଯାହାଙ୍କଠାରୁ ତାଙ୍କର ଦୁଇ ସନ୍ତାନ- ଜୁନୈଦ ଓ ଇରା ଖାନ୍‌ ଅଛନ୍ତି। ପ୍ରାୟ ୧୫ ବର୍ଷର ସଂସାର ପରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। ଏହାପରେ ଆମିର ଚଳଚ୍ଚିତ୍ର ନିର୍ଦ୍ଦେଶକ କିରଣ ରାଓଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସେମାନଙ୍କର ଏକ ପୁତ୍ର ସନ୍ତାନ ‘ଆଜାଦ’ ରହିଛି। ୨୦୨୧ ମସିହାରେ ଉଭୟ ଆପୋଷ ବୁଝାମଣାରେ ଅଲଗା ହେବାକୁ ଘୋଷଣା କରିଥିଲେ ସୁଦ୍ଧା ପୁଅର ଲାଳନପାଳନ ଓ ବ୍ୟାବସାୟିକ କ୍ଷେତ୍ରରେ ଏବେ ବି ଏକାଠି କାମ କରୁଛନ୍ତି।