ସରକାରଙ୍କୁ ଦେଢ଼ ମାସ ପୁରିନି, ଦରଦାମ ଆକାଶଛୁଆଁ : ମୁଲତବୀ ପ୍ରସ୍ତାବ ଆଲୋଚନାରେ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ସରକାରଙ୍କୁ ଦେଢ଼ ମାସ ପୁରିନି, ଅଥଚ ଦରଦାମ ଆକାଶଛୁଆଁ । ଆଳୁ, ଡାଲି, ଟମାଟୋ, ପିଆଜ ଦର ଉପରେ ନିୟନ୍ତ୍ରଣ ନାହିଁ । ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ସ୍ଥିତି ଉପରେ ଏହାର ଚାପ ପଡ଼ୁଛି । ସରକାର କିଛି ବି ପଦକ୍ଷେପ ନନେବା ଦୁଃଖର ବିଷୟ । ଏଭଳି ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ । ଗୃହ ଏନେଇ ସରଗରମ ହୋଇଥିଲା । ହେଲେ ଆଲୋଚନା ଶେଷରେ ବାଚସ୍ପତି ସୁରମା ପାଢ଼ୀ ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି କହି ଉକ୍ତ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ । ମଙ୍ଗଳବାର ରାଜ୍ୟରେ ଅହେତୁକ ଦରଦାମ୍ ବୃଦ୍ଧି ନେଇ ବିରୋଧୀ ବିଜେଡି ପକ୍ଷରୁ ଗୃହରେ ମୁଲତବୀ ପ୍ରସ୍ତାବ ଆଣିଥିଲେ । ଏହାର ଶୀର୍ଷକ ଥିଲା ‘ନିତ୍ୟବ୍ୟବହାର୍ଯ୍ୟ ଦର ଆକାଶ ଛୁଆଁ ଲୋକେ ହନ୍ତସନ୍ତ, ସରକାର ନୀରବ ଦ୍ରଷ୍ଟା’ । ମୁଲତବୀ ଆଲୋଚନାରେ ଅଂଶ ଗ୍ରହଣ କରି ବରିଷ୍ଠ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଥିଲେ, ମନ୍ତ୍ରୀଙ୍କ ତଥ୍ୟ ଓ ବାସ୍ତବତା ସମ୍ପୂର୍ଣ ଭିନ୍ନ । ସରକାର ଉତ୍ତର ପ୍ରଦେଶରୁ ଆଳୁ ଆଣିଲେ ଦରଦାମ ନିୟନ୍ତ୍ରଣ ହେବ ବୋଲି କହିଛନ୍ତି । ହାତରୁ ଭୋଟ କାଳୀ ଚିହ୍ନ ଲିଭିନି, ସବୁଆଡେ ଜିଏସ୍‌ଟି ଲାଗୁ ହୋଇଗଲାଣି । ଦର ଦୁଇଗୁଣା ହୋଇଯାଇଛି । ବର୍ତ୍ତମାନ ଆଳୁ କିଲୋ ୧୮ ଓ ପିଆଜ କିଲୋ ୩୦ ଟଙ୍କା ଅଛି ବୋଲି ସରକାର କହୁଥିବାବେଳେ ମାର୍କେଟ୍‌ରେ ଭିନ୍ନ ଦର ରହିଛି । କଟକରେ ଆଳୁ ୪୦-୫୦ ଟଙ୍କା, ପିଆଜ ୫୦ ଟଙ୍କାରେ କିଲୋପ୍ରତି ବିକା ଯାଉଛି । ଟମାଟୋ -୧୦୦, ଭେଣ୍ଡି – ୯୦, କଲରା – ୯୦ ଏବଂ ପୋଟଳ – ୮୦ ଟଙ୍କାରେ ବିକ୍ରି କରାଯାଉଛି । ମୁଢ଼ି ଓ ଚୁଡାରେ ଜିଏସ୍‌ଟି ଲଗାଯାଇଛି । ଜିଏସ୍‌ଟି ପ୍ରତ୍ୟାହାର ଦାବି ହୋଇଥିଲେ ସୁଦ୍ଧା, ପ୍ରତ୍ୟାହାର କରାଯାଇନି । ଚାଉଳ ଦର ସରକାରଙ୍କ ନିୟନ୍ତ୍ରଣ ରହିଥିଲେ ବି ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଚାଉଳ କିଲୋ ୫୦ ଟଙ୍କା । ଧାନର ଏମଏସ୍‌ପି ୩୧୦୦ ହେଲେ ଚାଉଳ ଦର ୭୦ ଟଙ୍କା ହେବ । ମୁଦ୍ରାସ୍ପିତି ହାର ବଢ଼ିବାରେ ଲାଗିଛି, ୬.୪% ମୁଦ୍ରାଷ୍ପିତି ରହିଛି । ମୁଣ୍ଡ ପିଛା ଆୟ କମ ରହିଛି, ତେଣୁ ଦର ନିୟନ୍ତ୍ରଣ କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ । ଦର ବଢିବା ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ କହିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପୂଜାରୀ ଅଭିଯୋଗ କରିଥିଲେ । ସେହିପରି ବିଜେଡ଼ି ବିଧାୟକ ବ୍ୟୋମକେଶ ରାୟ କହିଥିଲେ, ପେଟ୍ରୋଲ ଡିଜେଲ ଦର କମୁନାହିଁ । ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମ୍ ରହିଛି, ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଟାକ୍ସ କମାଇନାହାନ୍ତି । ଫଳରେ ଦର ଉପରେ ଏହାର ପ୍ରଭାବ ପଡ଼ୁଛି । ତେଣୁ ପେଟ୍ରୋଲ ଓ ଡିଜେଲ ଉପରୁ ଟାକ୍ସ କମାଇବାକୁ ସେ ଦାବି କରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ସରକାର ଦରଦମ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଅନ୍ତୁ । ଏଥିପାଇଁ କର୍ପସ ଫଣ୍ଡ ଗଠନ କରି ଦର ଦାମ ନିୟନ୍ତ୍ରଣ କରନ୍ତୁ । ମନ୍ତ୍ରୀ କହୁଥିବା ଦର ବଜାର ଦରଠାରୁ ଅଲଗା । ଗରିବ ଲୋକମାନେ ଡାଲି କିମ୍ବା ନିତ୍ୟ ବ୍ୟବହାର୍ଯ୍ୟ କିଣିପାରୁନାହାନ୍ତି । ତେଲ, ଡାଲି, ଚାଉଳ ଦର ବି ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ଓ ରାଜ୍ୟ ସରକାର ଧନୀଙ୍କ ପାଇଁ ଚିନ୍ତା କରୁଥିବାବେଳେ ଗରିବଙ୍କ ପାଇଁ ଚିନ୍ତା କରୁନାହାନ୍ତି । ଆଳୁ ମିଶନ କୁଆଡ଼େ ଗଲା ବୋଲି ପ୍ରଶ୍ନ କଲେ ବିଧାୟକ ଦଳ ନେତା । ଏହାସହ କହିଛନ୍ତି, କେଉଁ ସରକାର ଉପରେ ଦୋଷ ନଦେଇ ସରକାର ଖସି ଯିବାକୁ ଚେଷ୍ଟା ନ କରନ୍ତୁ ବୋଲି ଶ୍ରୀ କାଡ଼ାମ ପରାମର୍ଶ ଦେଇଛନ୍ତି । ଶାସକ ସଭ୍ୟ ଅଶ୍ୱିନୀ କୁମାର ଷଡ଼ଙ୍ଗୀ କହିଥିଲେ ବିରୋଧୀ ବାସ୍ତବ ସ୍ଥିତିକୁ ଗୁରୁତ୍ୱ ନଦେଇ କେବଳ ଡ୍ରାମା କରୁଛନ୍ତି । ପୂର୍ବ ସରକାର ବେଳେ କିଛି ବି ଭିତ୍ତିଭୂମି ବିକାଶ ହୋଇନଥିଲା । ଆଳୁ ମିଶନ ଫେଲ ମାରିଥିଲା । ସବୁଥିରେ ଫେଲ ମାରିଥିଲେ । ହେଲେ ଆମ ସରକାର ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି । ଆଗାମୀ ଦିନରେ ରାଜ୍ୟବାସୀ ଏହାର ସୁଫଳ ପାଇବେ ବୋଲି ସେ କହିଥିଲେ । ତେବେ ଏହା ଉପରେ କିଛିଉଭୟ ଶାସକ ଓ ବିରୋଧୀ ସଭ୍ୟ ମତ ଦେଇଥିଲେ । ଶେଷରେ ବିଜେଡ଼ିର ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରାଗଲା ବୋଲି ବାଚସ୍ପତି ପ୍ରକାଶ କରିଥିଲେ ।

A month and a half after the government