ଦେହରେ ଧାରଣା କଲେ ଜୀବନ୍ତ ମାଛ

ନୂଆଦିଲ୍ଳୀ: ଫ୍ୟାସନ୍ ସୋ’ଗୁଡ଼ିକ‌ରେ ଆମେ ବିଭିନ୍ନ ଡିଜାଇନର୍‌ମାନଙ୍କ ପୋଷାକ ପିନ୍ଧି ମଡେଲ୍‌ମାନଙ୍କୁ ୱାକ୍ କରୁଥିବାର ଦେଖିଥାନ୍ତି। ନୂଆ ନୂଆ ଡିଜାଇନ୍‌ର ପୋଷାକ ପିନ୍ଧି ମଡେଲ୍‌ମାନେ ନିଜର ଦକ୍ଷତା ପ୍ରଦର୍ଶନ କରିଥାନ୍ତି। ବେଳେବେଳେ କିଛି ମଡେଲ୍‌ଙ୍କ ୱାକ୍ ଆମ ହୃଦୟକୁ ଖୁସି କରିଥାଏ ତ ପୁଣି କେବେ କେବେ ଆଶ୍ଚର‌୍ୟ୍ୟ ବି କରି ଦେଇଥାଏ। ଯେତେବେଳେ କିଛି ନିଆରା ଘଟୋ, ତାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଯାଏ। ସମଗ୍ର ବିଶ୍ୱରେ ଅନେକ ଫ୍ୟାସନ୍ ସୋ’ ସଂଗଠିତ ହୋଇଛି, ଯେଉଁଥିରେ କିଛି ନୂଆ କରିବାକୁ ଚେଷ୍ଟା କରାଯାଇଥାଏ। ଅନେକ ଥର ମଡେଲମାନେ ପନିପରିବାରେ ହୋଇଥିବା ପୋଷାକ ପିନ୍ଧି ରାମ୍ପରେ ଚାଲୁଥିବାର ଦେଖାଯାଏ ଏବଂ ବେଳେବେଳେ ସେମାନଙ୍କ ମୁହଁରେ ରଙ୍ଗ ଲଗାଯାଇଥାଏ। ସମ୍ପ୍ରତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି କିଛି ଲୋକ ଆଶ୍ଚର‌୍ୟ୍ୟ ହୋଇଥିବା ବେଳେ ଅନ୍ୟମାନେ ରାଗି ଯାଇଛନ୍ତି।

ଭିଡିଓରେ କିଛି ନୂଆ ଏବଂ ଭିନ୍ନ କରିବାକୁ ଚେଷ୍ଟା କରି ଜଣେ ମଡେଲ୍ ‘ଜୀବନ୍ତ ମାଛ’ ପିନ୍ଧି ରାମ୍ପରେ ବୁଲୁଥିବା ଦେଖିବାକୁ ମିଳିଛି। ଯାହାକୁ ଦେଖିବା ପରେ ସେଠାରେ ଉପସ୍ଥିତ ଜନସାଧାରଣ କ୍ରୋଧିତ ହୋଇଥିଲେ। ଚେନ୍ନାଇରେ ଏକ ଫ୍ୟାସନ ସୋ’ର ଏହି ଭାଇରାଲ୍ ଭିଡିଓକୁ ଦେଖି ପ୍ରାଣୀମାନଙ୍କୁ ଏଭଳି ଆଘାତ ନକରିବାକୁ ଦାବି କରି ଅନେକ ଲୋକ ସ୍ବର ଉଠାଉଛନ୍ତି।
ଭିଡିଓରେ ଆପଣ ଦେଖି ପାରୁଥିବେ ଯେ ମଡେଲ୍ ଜଣକୁ ନିଜକୁ ସଜେଇ ସାରିଥିବା ବେ‌ଳେ ନିଜ ପୋଷାକରେ ଏକ ଥଳି ଲଗାଇଛନ୍ତି। ସେହି ଥଳିରେ ପାଣି ଥିବାବେଳେ ସେଥିରେ ମାଛ ଛଡ଼ାଯାଉଛି। ମାଛଗୁଡ଼ିକ ସେହି ଛୋଟିଆ ଥଳି ମଧ୍ୟରେ ଏପଟ ସେପଟ ହେଉଛନ୍ତି। ମଡେଲ୍ ଜଣକ ‘ଜଲପରୀ’ ଥିମ୍‌ରେ ଗେଟ୍‌-ଅପ୍ ନେଇଛନ୍ତି।