ଧାମନଗର ଉପନିର୍ବାଚନ ପ୍ରଚାରରେ ସାମିଲ ହେଉଛନ୍ତି ବହୁ ସଂଖ୍ୟାରେ ମହିଳା

ଭୁବନେଶ୍ବର: ଧାମନଗର ସଂରକ୍ଷିତ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ  ପାଇଁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଲା। ଏଥିପାଇଁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବିଭିନ୍ନ ଦଳର ପ୍ରାର୍ଥୀ ସମେତ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନ ପ୍ରଚାର ଜୋରଦାର ହେବା ସାଙ୍ଗକୁ ସମଗ୍ର ନିର୍ବାଚନମଣ୍ଡଳୀର ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ଏହି ଉପ ନିର୍ବାଚନର ଫଳାଫଳ କାହା ସପକ୍ଷରେ ଯିବ ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି । ସେହିପରି ନିର୍ବାଚନ ଜିତିବା ବିଜେପି ଏବଂ ବିଜେଡି ଦୁଇ ରାଜନୈତିକ ଦଳ ପାଇଁ ସମ୍ମାନର ବିଷୟ ହୋଇଥିବା ବେଳେ ଉଭୟ ଦଳ ପୁରା ଦମରେ ନିର୍ବାଚନ ପ୍ରଚାରରେ ଲାଗି ପଡିଛନ୍ତି। ନିର୍ବାଚନ ପ୍ରଚାରରେ ବିଜେପିର ବହୁ କେନ୍ଦ୍ରୀୟ ଏବଂ ରାଜ୍ୟସ୍ତରୀୟ ନେତା ସମେତ ଦଳୀୟ କାର୍ଯ୍ୟକର୍ତ୍ତା ଅନୁରୂପ ଭାବେ ବିଜେଡିର ବହୁ ନେତା ମନ୍ତ୍ରୀ, ବିଧାୟକମାନେ ଆସି ଧାମନଗରରେ ଡେରା ପକାଇବା ସହ ଦିନରେ ସହକର୍ମୀମାନଙ୍କୁ ଧରି ଗାଁ, ଗାଁ ବୁଲି ଭୋଟର ମାନଙ୍କୁ ଭେଟୁଛନ୍ତି ଏବଂ ନିର୍ବାଚନ ଜିତିବା ପାଇଁ ରାତିରେ ରଣକୌଶଳ ପ୍ରସ୍ତୁତ କରୁଛନ୍ତି। ଏପଟେ ପ୍ରଚାର ପାଇଁ ବିଭିନ୍ନ ବଜାର, ଛକ, ଗାଁଗହଳି  ଆଦିରେ  ପ୍ରାର୍ଥୀମାନଙ୍କର ବଡ଼ବଡ଼ ହୋଡିଙ୍ଗ, ବେନର, ପୋଷ୍ଟର  ଦଳୀୟ  ପତାକାରେ ଭର୍ତ୍ତି ହେଶଇସାରିଛି। ରାସ୍ତା ଏବଂ ଗାଁ ଗହଳିରେ  ବିଭିନ୍ନ ସ୍ୱରରେ  ଡ଼ାକବାଜିରେ ପ୍ରଚାର ହେଉଥିବା ପ୍ରାର୍ଥୀ ମାନଙ୍କର ବହୁ ସଂଖ୍ୟାରେ ପ୍ରଚାର ଗାଡିର ଦୃଶ୍ୟ ନିର୍ବାଚନର ମାହୋଲକୁ ରୋଚକ ମୋଡ଼ରେ ପହଞ୍ଚାଇଛି। ପ୍ରଚାର କ୍ଷେତ୍ରରେ ବିଜେପି ଏବଂ ବିଜେଡି ସମାନ ସ୍ଥିତିରେ ଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ପ୍ରଚାର ମଧ୍ୟ  ପୂରା ଦମରେ ଲାଗିଥିବା ଦେଖିବାକୁ ମିଳିଛି। ପ୍ରାର୍ଥୀ ଶ୍ରୀ ଦାସ ନିଜ ସମର୍ଥକଙ୍କୁ ଧରି ଏହି ନିର୍ବାଚନ ଧାମନଗର ମାଟିରେ ସ୍ୱାଭିମାନକୁ ପ୍ରସଙ୍ଗ କରି ଭୋଟର ମାନଙ୍କୁ ଭେଟି ଜନସମର୍ଥନ ଲୋଡୁଛନ୍ତି। ବିଜେଡି ରାଜ୍ୟର ନବୀନ ସରକାରଙ୍କ ଦୀର୍ଘବର୍ଷ ଶାସନର ସଫଳତା ଏବଂ ବିଜେପି କେନ୍ଦ୍ର ସରକାରଙ୍କ  ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ସୂଚନା ଦେଇ ନିର୍ବାଚନ ପ୍ରଚାର କରୁଛି। ସେହିପରି କଂଗ୍ରେସ ମଧ୍ୟ ରାଜ୍ୟସ୍ତରୀୟ ନେତା ବିଧାୟକମାନଙ୍କୁ ଆଣି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ ପ୍ରସଙ୍ଗ କରି ନିର୍ବାଚନ ପ୍ରଚାର ମଇଦାନରେ ସାମିଲ ହୋଇଛି। ଗୁରୁବାର ସଂଧ୍ୟାରେ କଂଗ୍ରେସ ନେତା ସୁର ରାଉତରାୟ ଧାମନଗର ବଜାରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାଟକୀୟ ଢଙ୍ଗରେ ଭୋଟ ପ୍ରଚାର କରୁଥିବାର ଦେଖିବାକୁ ମିଳିଛି। ଏହି ଉପ ନିର୍ବାଚନରେ ଅନ୍ୟ ଏକ ଘଟଣା ହେଲା ଜଣେ ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ମହିଳା ଭୋଟକୁ ହାତେଇବା ପାଇଁ ନିର୍ବାଚନ ପ୍ରଚାର କ୍ଷେତ୍ରରେ ଉଭୟେ ବିଜେପି ଏବଂ ବିଜେଡି ମହିଳାମାନଙ୍କୁ ଅଧିକ ସଂଖ୍ୟାରେ ସାମିଲ କରୁଥିବା ଏବଂ ପ୍ରଚାର ପାଇଁ ରାଜ୍ୟ ଓ କେନ୍ଦ୍ରରୁ ଆଗ ଧାଡ଼ିର ମହିଳା ଷ୍ଟାର ପ୍ରଚାରକ ,ଚିତ୍ରତାରକାମାନଙ୍କୁ ସାମିଲ କରାଇ ଭୋଟରଙ୍କୁ ଆକୃଷ୍ଟ କରାଯାଉଛି ।