ମାଟି ତଳୁ ବାହାରିଲା ବିଡ଼ା ବିଡା ଚୋରି ନୋଟ : ଶୀଲା ଟାୱାର କର୍ମଚାରୀ ଗିରଫ

ଚୋରି ମାଲ ଲୁଚାଇବା ପାଇଁ ନୂଆ କୌଶଳ I ଅଖା ରେ ଭର୍ତି କରି ମାଟି ତଳେ ପୋତିଦେଲେ ବିଡା ବିଡା ୫୦୦ ଟଙ୍କିଆ ନୋଟ I ତା ପୁଣି ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାଥରେ ୩୨ ଲକ୍ଷ ର ଚୋରି ଟଙ୍କା କୁ ମାଟି ତଳେ ପୋତି ପକାଇଲେ ଚୋର Iତେବେ ପୋଲିସ ମାଟି ଖୋଳି ଟଙ୍କା ଜବତ କରିବା ସହ ଅଭିଯୁକ୍ତ କୁ ମଧ୍ୟ ଗିରଫ କରିଛି I
ସୂଚନାନୁସାରେ ଗତ ୧୬ ତାରିଖରେ ସମ୍ବଲପୁରର ଭିଏସ୍ଏସ୍ ମାର୍ଗ ସ୍ଥିତ ସିଲା ଟାୱାର ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ହୋଟେଲ ମାଲିକ ଥାନାରେ ଅଭିଯୋଗ କରିଥିଲେ। ତେବେ ଏହି ଟଙ୍କାକୁ ହୋଟେଲର ଜଣେ କର୍ମଚାରୀ ଲୁଟ୍ କରି ଦେବଗଡ଼ ଜିଲ୍ଲାକୁ ପଳାଇଥିଲେ । ସେଠାରେ ମାଟି ଖୋଳି ଟଙ୍କାକୁ ପୋତି ଦେଇଥିଲେ । ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ହୋଟେଲର ପୂର୍ବତନ କର୍ମଚାରୀଙ୍କ ସହ ୪ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ ପଚରାଉଚରା କରିବା ପରେ ଦେବଗଡ଼ରେ ଏହି ଟଙ୍କା ମାଟି ତଳେ ଲୁଚାଇ ରଖିଥିବା ଅଭିଯୁକ୍ତମାନେ ପୁଲିସ ନିକଟରେ ମାନିଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଟି ଖୋଳି ଅଖା ଭିତରୁ ୫୦୦ ଟଙ୍କିଆ ବିଡ଼ା ବିଡ଼ା ନୋଟ୍ ଜବତ କରିଛି। ଯାହା ୩୨ ଲକ୍ଷ ଟଙ୍କା ହେବ। ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ହୋଇଥିବା ବେଳେ ପୁଲିସ ହାତରେ ୩୨ ଲକ୍ଷ ଟଙ୍କା ଲାଗିଛି। ଅଭିଯୁକ୍ତମାନେ ଅବଶିଷ୍ଟ ଟଙ୍କାକୁ କେଉଁଠି ରଖିଲେ, ପୁଲିସ ତାର ତଦନ୍ତ କରୁଛି। ପୋଲିସ ଚୋରି ହୋଇଥିବା ଟଙ୍କାକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ସମ୍ବଲପୁର ପୋଲିସ ପକ୍ଷରୁ ଗୁରୁବାର ଏ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବେ ବୋଲି କୁହାଯାଇଛି । ଅପରପକ୍ଷରେ ଏହି ତତ୍ପରତା ଓ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ବଲପୁର ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ସମ୍ବଲପୁର ପୁଲିସ୍‌କୁ ପ୍ରଶଂସା କରିଛି ।