ବାର୍ଷିକ କ୍ରୀଡ଼ା ବେଳେ ଛାତ୍ରଙ୍କ ବେକରେ ଗଳିଗଲା ଜାଭେଲିନ

ବାର୍ଷିକ କ୍ରୀଡ଼ା ବେଳେ ଛାତ୍ରଙ୍କ ବେକରେ ଗଳିଗଲା ଜାଭେଲିନ
ଭୁବନେଶ୍ବର: ବଲାଙ୍ଗୀର ଜିଲା ଆଗଲପୁର ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି । ନବମ ଶ୍ରେଣୀର ଜଣେ ଛାତ୍ରଙ୍କ ବେକରେ ଜାଭେଲିନ ଗଳି ଯିବାରୁ ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ୬ ଜଣ ଡାକ୍ତର ଦୀର୍ଘ ୩ ଘଣ୍ଟା ପରିଶ୍ରମ କରି ଛାତ୍ରଙ୍କ ବେକରୁ ଜାଭେଲିନ୍ ବାହାର କରିଛନ୍ତି ।
ଏବେ ଜିଲ୍ଲାର ବିଭିନ୍ନ ସ୍କୁଲରେ ବାର୍ଷିକ କ୍ରୀଡ଼ା ଆୟୋଜନ କରାଯାଉଛି । ସେହିକ୍ରମରେ ଆଜି ଆଗଲପୁର ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ଆୟୋଜନ କରାଯାଇଥିଲା । ଜାଭେଲିନ ଥ୍ରୋ ପ୍ରତିଯୋଗିତା ସମୟରେ ହଠାତ ଜଣେ ଛାତ୍ରଙ୍କ ବେକରେ ଜାଭେଲିନ୍ ଗଳିଯାଇଥିଲା । ସମ୍ପୃକ୍ତ ଛାତ୍ର ଜଣକ ନବମ ଶ୍ରେଣୀର ସଦାନନ୍ଦ ମେହେର ବୋଲି ସୂଚନା ମିଳିଛି । ତାଙ୍କୁ ପ୍ରଥମେ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଆମ୍ବୁଲାନ୍ସ ଯୋଗେ ଆଗଲପୁରରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ଆଣି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନାକୁ ନେବା ପର୍ଯ୍ୟନ୍ତ ବି ଛାତ୍ରଙ୍କ ବେକରେ ଜାଭେଲିନ ପଶି ରହିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ଛାତ୍ରଙ୍କୁ ରେଡ୍‌କ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବା ସହିତ ସମସ୍ତ ଚିକିତ୍ସା ଖର୍ଚ୍ଚ ଜିଲା ପ୍ରଶାସନ ବହନ କରିବ ବୋଲି ଜିଲାପାଳ ଚଞ୍ଚଳ ରାଣା କହିଛନ୍ତି । ଛାତ୍ର ଜଣକ ଅବସ୍ଥା ଏବେ ସ୍ଥିରଥିବା ଡାକ୍ତରଖାନା କତ୍ତୁପକ୍ଷ କହିଛନ୍ତି । ଅନ୍ୟପକ୍ଷରେ ସଦାନନ୍ଦ ମେହେରଙ୍କ ବେକରେ ଜାଭଲିନ୍ ପସିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାପ୍ରକଟ କରିଛନ୍ତି । ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଛାତ୍ରଙ୍କର ଆରୋଗ୍ୟ କାମନା କରିଛନ୍ତି । ଏଥିସହିତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସମସ୍ତ ପ୍ରକାରର ଆର୍ôଥକ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ୫-ଟି ସଚିବ ଭିକେ ପାଣ୍ଡିଆନ ବଲାଙ୍ଗୀର ଜିଲ୍ଲାପାଳଙ୍କ ସହିତ ଟେଲିଫୋନ୍‌ରେ କଥା ହୋଇଛନ୍ତି । ସଦାନନ୍ଦର ସ୍ୱାସ୍ଥ୍ୟ ଅବସ୍ଥା ସଂପର୍କରେ ତଦନ୍ତ କରି ସବୁ ପ୍ରକାରର ସହଯୋଗ ଯୋଗାଇ ଦେବା ପାଇଁ କହିଛନ୍ତି ।