ଅମ୍ବାନୀ -ପିରାମଲ ପରିବାରରେ ଖୁସିର ଲହରୀ,ଇଶା ହେଲେ ଯମଜ ସନ୍ତାନର ଜନନୀ

ମୁମ୍ବାଇ : ଦେଶର ପ୍ରସିଦ୍ଧ ଶିଳ୍ପପତି ଅମ୍ବାନୀ-ପିରାମଲ ପରିବାରରେ ଖୁସିର ଲହରୀ I ମୁକେଶ ଅମ୍ବାନୀ ଅଜା ହେବାର ସୌଭାଗ୍ୟ ଲାଭ କରିଛନ୍ତି I ତାଙ୍କ ଇଶା ଅମ୍ବାନୀ ୧୯ ନଭେମ୍ବରରେ ଯମଜ ସନ୍ତାନ ଜନ୍ମ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ପୁଅ ଏବଂ ଜଣେ ଝିଅ ଅଛନ୍ତି I ନବଜାତ ଶିଶୁ କନ୍ୟାର ନାମ ଆଦିଆ ଓ ଶିଶୁପୁତ୍ରର ନାମ କୃଷ୍ଣା ରହିଛି । ଉଭୟ ପରିବାର ପକ୍ଷରୁ ଏହି ସୂଚନା ଦିଆ ଯାଇଛି I ପ୍ରସିଦ୍ଧ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ୨୦୧୮ରେ ହେଲ୍ଥକେୟାର ବିଜନେସ୍‌ ଗ୍ରୁପ୍‌ ପିରାମଲର ମାଲିକ ଅଜୟ ପିରାମଲଙ୍କ ପୁଅ ଆନନ୍ଦ ପିରାମଲଙ୍କ ସହ ହୋଇଥିଲା। ବିବାହ ପରେ ଦୁହେଁ ବର୍ତ୍ତମାନ ଯାଆଁଳା ପିତାମାତା ହୋଇଛନ୍ତି।

ମୁକେଶ ଓ ନୀତା ଅମ୍ବାନୀଙ୍କ ସହ ଇଶା ଅମ୍ବାନୀଙ୍କ ସ୍ୱାମୀ ଆନନ୍ଦ ପିରାମଲଙ୍କ ମାଆବାପା ଅଜୟ ଓ ସ୍ୱାତୀ ପିରାମଲଙ୍କ ତରଫରୁ ଏ ନେଇ ଏକ ମିଳିତ ମିଡିଆ ଷ୍ଟେଟ୍‌ମେଣ୍ଟ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ‘ଯାଆଁଳା ଶିଶୁଙ୍କ ଆଗମନର ଘୋଷଣା କରି ସେମାନେ ଅତ୍ୟନ୍ତ ଆନନ୍ଦିତ ଏବଂ ସେମାନେ ସମସ୍ତଙ୍କଠାରୁ ଆଶୀର୍ବାଦ ଓ ଶୁଭକାମନା ଆଶା ରଖିଛନ୍ତି। ଏହା ସେମାନଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ’।

ସୂଚନାନୁସାରେ ମୁକେଶ ଅମ୍ବାନୀଙ୍କ ଏକମାତ୍ର ଝିଅ ଇଶା ଅମ୍ବାନୀଙ୍କୁ ନିକଟରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସର ନିର୍ଦ୍ଦେଶକ କରାଯାଇଛି। ମୁକେଶ ଅମ୍ବାନୀଙ୍କ ତିନି ସନ୍ତାନଙ୍କ ମଧ୍ୟରେ ଇଶା ବଡ଼। ସେ ଆମେରିକାର ୟେଲ ୟୁନିଭର୍ସିଟିରୁ ସାଇକୋଲୋଜିରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଏଥି ସହିତ କାଲିଫର୍ନିଆର ଷ୍ଟାନଫୋର୍ଡରୁ ବିଜନେସ୍‌ରେ ଏମ୍‌ବିଏ କରିଛନ୍ତି। ୨୦୧୪ ମସିହାରେ, ଇଶା ଅମ୍ବାନୀଙ୍କୁ ରିଲାଏନ୍ସ ରିଟେଲ ଏବଂ ଜିଓର ବୋର୍ଡ ସଦସ୍ୟ କରାଯାଇଥିଲା I ସେହିପରି ଆନନ୍ଦ ପିରାମଲଙ୍କ ମା’ ସ୍ଵାତି ପିରାମଲ ମଧ୍ୟ ଜଣେ ଶିଳ୍ପପତି ଅଟନ୍ତି। ସେ ମୁମ୍ବାଇର ପ୍ରସିଦ୍ଧ ଗୋପିକୃଷ୍ଣ ପିରାମଲ ହସ୍ପିଟାଲର ପ୍ରତିଷ୍ଠାତା ମଧ୍ୟ ଅଟନ୍ତି।