ଛାତରୁ ଡେଇଁ ଆତ୍ମହତ୍ୟା କଲେ ଅଗ୍ନିଶମ କର୍ମଚାରୀ

ଢେଙ୍କାନାଳ : ଦମକଳ ଅଫିସ ଛାତରୁ ଡେଇଁ ଆତ୍ମହତ୍ୟା କଲେ ଅଗ୍ନିଶମ କର୍ମଚାରୀ । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଅଗ୍ନିଶମ ବିଭାଗ ରେ କାର୍ଯ୍ୟରତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡକ୍ତରଖନାରେ ତାଙ୍କର ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଅଗ୍ନିଶମ ବିଭାଗ ରେ ଜୟନ୍ତ ଧାରୁଆ ପ୍ରାୟ ଦେଢ ବର୍ଷ ହେବ ଗଁନ୍ଦିଆ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଥିଲେ। ଜୟନ୍ତଙ୍କ ଘର ବଲାଙ୍ଗୀର ଜିଲ୍ଲା ଲରମ୍ଭା ଗ୍ରାମରେ ହୋଇଥିବା ବେଳେ ସେ ପଟଣାଗଡ଼ର ରାମପୁରରେ ତାଙ୍କ ଶ୍ୱଶୁର ଘରେ ରହୁଥିଲେ। ଗତ ଦେଢ ବର୍ଷ ପୂର୍ବେ ରେଙ୍ଗାଲିରୁ ବଦଳି ହୋଇ ସେ ଗଁନ୍ଦିଆରେ କାର୍ଯ୍ୟରତ ଥିଲେ। ଏଠାରେ ସେ ଜଣେ ଶୃଙ୍ଖଳିତ କର୍ମଚାରୀ ରୂପେ ପରିଚିତ ଥିଲେ । ସେ ନୂଆଖାଇରେ ଛୁଟିରେ ଘରକୁ ଯାଇ ଗତ ୪ ତାରିଖରେ ପୁନର୍ବାର କାର୍ଯ୍ୟରେ ଯୋଗ ଦେଇଥିଲେ। ଗତକାଲି ରାତି ପ୍ରାୟ ୯ଟାରେ ସେ ଅନ୍ୟ କର୍ମଚାରୀଙ୍କ ସହ କ୍ୟାରମ ଖେଳୁଥିଲେ। ଏହି ସମୟରେ ସେ ହଠାତ ଉଠି ବାହାରକୁ ଯାଇଥିଲେ । କିଛି ସମୟ ପରେ ସାଥି କର୍ମଚାରୀମାନେ ଏକ ଚିତ୍କାର ଶୁଣି ବାହାରକୁ ଧାଇଁ ଯାଇଥିଲେ। ସେଠାରେ ଯାଇ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ଛାତ କଡ଼ରେ ଜୟନ୍ତ ପଡିଥିବାର ଦେଖି ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ବରପଦା ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବିଳମ୍ବିତ ରାତିରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଆତ୍ମହତ୍ୟାର ସଠିକ୍ କାରଣ ଜଣାପଡ଼ି ନାହିଁ।

ଏନେଇ ଗନ୍ଦିଆ ଫାୟାର ଷ୍ଟେସନ ଅଫିସର ଅକ୍ଷୟ କୁମାର ପ୍ରଧାନ କହିଛନ୍ତି, ଜୟନ୍ତ ଜଣେ ଭଲ କର୍ମଚାରୀ ରୂପେ ଗଣା ହେଉଥିଲା। ଗତ କିଛି ଦିନ ହେବ ସେ ଅନ୍ୟମନସ୍କ ରହୁଥିଲା। ହେଲେ ସେ କିପରି ଓ କେଉଁଠୁ ପଡ଼ିଲା ନା ଅନ୍ୟମନସ୍କ ହେତୁ ଏପରି ଘଟଣା ଘଟିଲା ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି।