ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି କୁ ନେଇ ବାଲେଶ୍ୱର ରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଆଜି ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ । ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ପୋଲିସ ପ୍ରଶାସନର ନିଷ୍କ୍ରିୟତା ପ୍ରତିବାଦରେ ବନ୍ଦ ଡାକରା ଦେଇଛି ବିଜେପି । ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି କଂଗ୍ରେସ, ବାଲେଶ୍ୱର ବାର ଆସୋସିଏସନ ଓ ବିଭିନ୍ନ ସଂଗଠନ । ଏହା ସହିତ ଏସପିଙ୍କ ବଦଳି ଦାବିରେ ବାଲେଶ୍ୱର ସହରରେ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ସୂଚନା ମିଳିଛି ।

ବନ୍ଦ ଡାକରାକୁ ସଫଳ କରିବାକୁ ଆନ୍ଦୋଳନକାରୀ ମୁଖ୍ୟରାସ୍ତା ବ୍ୟତୀତ ବିଭିନ୍ନ ଛକ ଗୁଡ଼ିକରେ ଜଗି ରହିଛନ୍ତି । ବିଜେପିକର୍ମୀମାନେ ହାତରେ ପ୍ଲାକାଡ ଧରି ରାଜରାସ୍ତାରେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ବସ ଚଳାଚଳ ବନ୍ଦ ରହିଛି ।ତେବେ ଏହି ବନ୍ଦରେ ବିଜେପି , କଂଗ୍ରେସ ଓ ବାମ ଦଳ ମାନେ ମଧ୍ୟ ସାମିଲ ହୋଇ ନିଜ ନିଜ ଢଙ୍ଗରେ ପ୍ରତିବାଦ କରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି କିଛିଦିନ ମଧ୍ୟରେ ଜିଲ୍ଲାରେ ହତ୍ୟା , ଲୁଟ , ଆକ୍ରମଣ ,ବହୁଳ ଭାବରେ ନିଶା କାରବାର ଆଦି ଭୟଙ୍କର ଭାବରେ ବଢ଼ିବାରେ ଲାଗିଛି । ଯାହାକୁ ନେଇ ସବୁ ମହଲରେ ନିନ୍ଦା କରିବା ସହିତ ବିଭିନ୍ନ ସଂଗଠନ ବନ୍ଦ ଡାକରା ଦେଇଥିଲେ । ଏନେଇ ବିଜେପି ମଧ୍ୟ ପ୍ରତିବାଦ କରିବା ସହିତ ଅନୁରୂପ ଭାବେ ବନ୍ଦ କରିବା ନେଇ ଘୋଷଣା କରିଛି।

ବାର ଆସୋସିଏସନ ସଭାପତି ମନୋଜ ନାୟକ କହିଛନ୍ତି, ‘‘ବାଲେଶ୍ୱର ଏବେ ଅପରାଧୀ ମାନଙ୍କର ଭୂସ୍ବର୍ଗ ପାଲଟି ଯାଇଛି। ପୋଲିସ ବିଭାଗର ଅପାରଗତା ପାଇଁ ଦିନକୁ ଦିନ କ୍ରାଇମ ବଢ଼ିବାରେ ଲାଗିଛି। ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି। ଏଥି ପାଇଁ ସବୁ ବର୍ଗର ଲୋକେ ଏକତ୍ରିତ ହୋଇ ସାର୍ବଜନୀନ ନିଷ୍ପତ୍ତି କ୍ରମେ ଆସନ୍ତା ୧୬ ତାରିଖରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏଥିରେ କେବଳ ଆମେ ନୁଁହେ ସାଧାରଣ ଲୋକ ମଧ୍ୟ ଭାଗ ନେବେ।”