ଚଳନ୍ତା ବସ୍‌ରେ ନିଆଁ ଲାଗିଯିବାରୁ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ

ୟୁପି: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ଯମୁନା ଏକ୍ସପ୍ରେସୱେରେ ଏକ ସ୍ଲିପର ବସ୍‌ରେ ଭୟାବହ ଅଗ୍ନିକାଣ୍ଡରେ ଜଳି ଯାଇ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଯମୁନା ଏକ୍ସପ୍ରେସୱେର ଦୟାନତପୁର ଗାଁ ନିକଟରେ ଏହି ଅଘଟଣ ଘଟିଛି। ବସ ଟି ଗ୍ରେଟର ନୋଏଡାରୁ ଆଗ୍ରା ଅଭିମୁଖେ ଯାଉଥିବା ବେଳେ ହଠାତ୍‌ ଏଥିରେ ନିଆଁ ଲାଗିଯାଇଥିଲା। କିଛି ସମୟ ମଧ୍ୟରେ ପୁରା ବସ କୁ ନିଆଁ ବ୍ୟାପି ଯାଇଥିଲା l ବସ୍‌ରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ଚାଳକ ବସ୍‌କୁ ରାସ୍ତାକଡ଼ରେ ଅଟକାଇଥିଲେ। ଏହାପରେ ଅନେକ ଯାତ୍ରୀ ବସ୍‌ରୁ ବାହାରି ଆସିଥିଲେ। ଜୀବନ ବଞ୍ଚାଇବା ପାଇଁ କିଛି ଯାତ୍ରୀ ବସ୍‌ରୁ ଡେଇଁପଡ଼ିଥିଲେ l ଏହି ଭୟାବହ ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିବା ଜଣାପଡ଼ିଛି l ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଆହତମାନଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।