କରୋନା ପରେ ମାରବର୍ଗ ୧୦ ଜଣଙ୍କ ମଧ୍ୟରୁ ଯାଉଛି ୯ ଜୀବନ

କରୋନା ପରେ ମାରବର୍ଗ ଆତଙ୍କ । ବ୍ୟାପୁଛି ମାରବର୍ଗ ଭୂତାଣୁ । ଗଲାଣି ୯ ଜୀବନ । କରୋନାଠାରୁ ଅଧିକ ମାରାତ୍ମକ । ବଢୁଛି ଭୟ
ମହାମାରୀ କରୋନା କବଳରୁ ବିଶ୍ୱ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରି ନଥିବା ବେଳେ ଏବେ ମାରବର୍ଗ ଭୂତାଣୁ ଆତଙ୍କ ସୃଷ୍ଟି କରିଛି । ଆଫ୍ରିକୀୟ ଦେଶ ଇକ୍ୱେଟୋରିଆଲ୍ ଗିନିରେ ଦେଖିବାକୁ ମିଳିଛି ଏହି ଭୂତାଣୁ । ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ସଂକ୍ରମଣରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟକ ଲୋକ ଆକ୍ରାନ୍ତ ଅଛନ୍ତି । ମାରବର୍ଗ ଭୂତାଣୁ ସଂକ୍ରମଣର ଲକ୍ଷଣ ଇବୋଲା ଭୂତାଣୁ ଲକ୍ଷଣ ସହ ସମାନ । ଯେଉଁଥିରେ ରୋଗୀଙ୍କୁ ଜ୍ୱର, ଛାତିରେ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ । ପରିସ୍ଥିତି ଗୁରୁତର ହେଲେ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ ।

ମାରବର୍ଗକୁ କରୋନାଠାରୁ ଆହୁରି ମାରାତ୍ମକ ବୋଲି କୁହାଯାଉଛି । କାରଣ ଯଦି ଠିକ ସମୟରେ ଚିକିତ୍ସା କରାନଯାଏ ତେବେ ପ୍ରତି ୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ ମୃତ୍ୟୁମୁଖରେ ପଡ଼ିବା ନିଶ୍ଚିତ । ଏହି ଭୂତାଣୁ ବାଦୁଡ଼ିଠାରୁ ମଣିଷକୁ ବ୍ୟାପିଛି । ସଂକ୍ରମିତ ରୋଗୀ ସଂସ୍ପର୍ଶରେ ଆସିଲେ ଏହା ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମିତ କରିପାରେ । ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ପାଇଁ କୌଣସି ଚିକିତ୍ସା କିମ୍ବା ଟିକା ଉପଲବ୍ଧ ନାହିଁ । ଏହି ଭୂତାଣୁକୁ ମଧ୍ୟ ଗୁରୁତର ସହ ନେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲ୍ୟୁଏଚ୍‌ଓ, ଏକ ବୟାନ ଜାରି କରି କହିଛି ଯେ, ମାରବର୍ଗ ଭୂତାଣୁ ସଂକ୍ରମଣ କ୍ଷିପ୍ର ଗତିରେ ବ୍ୟାପିବାରେ ଲାଗିଛି ।

ପ୍ରଭାବିତ ଅଞ୍ଚଳରେ ଆଗୁଆ ଟିମ୍ ମୁତୟନ କରାଯାଇଛି, ଯେଉଁମାନେ ଭୂତାଣୁ ସଂକ୍ରମିତଙ୍କୁ ଚିହ୍ନଟ କରି ସେମାନଙ୍କୁ ସଙ୍ଗରୋଧରେ ରଖୁଛନ୍ତି ଏବଂ ସେମାନଙ୍କ ଚିକିତ୍ସା ମଧ୍ୟ କରୁଛନ୍ତି । ଏହାର ବିସ୍ତାରକୁ ରୋକିବା ପାଇଁ ହୁ, ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ଜରୁରୀକାଳୀନ ବିଶେଷଜ୍ଞ, ସଂକ୍ରମଣର ବିସ୍ତାରକୁ ପ୍ରତିହତ କରୁଥିବା ଟିମ୍‌, ପରୀକ୍ଷାଗାର ଏବଂ ଯୋଗାଯୋଗ ସହାୟତା ବ୍ୟବସ୍ଥା ନିୟୋଜିତ କରାଯାଇଛି ।