କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ ପକ୍ଷରୁ ୮ମ ଜାତୀୟ ଶିଶୁ ସାହିତ୍ୟ ମହୋତ୍ସବ

ଭୁବନେଶ୍ୱର, ୩ ।୧୨: କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ ପକ୍ଷରୁ ୮ମ ଜାତୀୟ ଶିଶୁ ସାହିତ୍ୟ ମହୋତ୍ସବ ଶନିବାର ଉଦ୍‍ଘାଟିତ ହୋଇଛି । ଉଦ୍‍ଘାଟନୀ ଉତ୍ସବରେ ବିଶିଷ୍ଟ ଅଭିନେତ୍ରୀ, ଲେଖିକା ତଥା ସମାଜସେବୀ ନନ୍ଦିତା ଦାସ, ବିଶିଷ୍ଟ ଲେଖକ ରବିନ୍ଦର ସିଂ ଏବଂ ଖ୍ୟାତି ସମ୍ପନ୍ନ ଲେଖିକା ତଥା ଗାଳ୍ପିକା ଜିଭା ରଘୁନାଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏଭଳି ସାହିତ୍ୟ ମହୋତ୍ସବ ପିଲାମାନଙ୍କ ମଧ୍ୟରେ ସର୍ଜନଶୀଳତାର ବିକାଶ କରିବାରେ ସାହାଯ୍ୟ କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ବିଭିନ୍ନ ପୁସ୍ତକ ପଢ଼ିବା ଓ ଲେଖିବା ଅଭ୍ୟାସ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ଭଲ ଲେଖକ ଲେଖିକା ହେବାରେ ପ୍ରେରଣା ଯୋଗାଇ ଥାଏ ବୋଲି ସେମାନେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନା ଲିସା ବଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍କୁଲ୍‍ର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ । କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ଓଡ଼ିଶାର ବିଭିନ୍ନ ସ୍କୁଲ୍‍ର ୮୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ରାଜ୍ୟ ବାହାରୁ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ଷୁଦ୍ର ଗଳ୍ପ ଲିଖନ ଓ କ୍ୱିଜ୍‍ ପ୍ରତିଯୋଗିତାର ଆୟୋଜନ କରାଯାଇଛି ।