ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ମକ୍ ଡ୍ରିଲ୍, ନିୟୋଜିତ ହେବେ ୮୦ ପ୍ଲାଟୁନ ଓ ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ

ଭୁବନେଶ୍ୱର : ପ୍ରବାସୀ ଭାରତୀୟ ଦିବସ ପାଇଁ କାଉଣ୍ଟ ଡାଉନ ଆରମ୍ଭ । ଭୁବନେଶ୍ବର ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ସୁରକ୍ଷା ପାଇଁ ମକ୍ ଡ୍ରିଲ୍ କରାଯାଇଛି । ପ୍ରବାସୀ ଭାରତୀୟ ଦିବସ ବେଳେ ସୁରକ୍ଷାକୁ ନେଇ ମକ୍ ଡ୍ରିଲ୍ କରାଯାଇଛି । ଜନତା ମଇଦାନରେ ଅର୍ବାନ୍ ୱାର୍ ଫାୟାର ପକ୍ଷରୁ ଏହି ମକ୍ ଡ୍ରିଲ୍ ହୋଇଛି ।  ଆତଙ୍କବାଦୀ ଆକ୍ରମଣ ରୋକିବା ଓ ପ୍ରତିରୋଧ କରିବାକୁ ବଡ଼ ପ୍ରସ୍ତୁତି କରାଯାଇଛି ।  ଏସ୍ ଓଜି, ଏସ୍ ପିଜି, ଓଡ୍ରାଫ୍ ଓ ଅଗ୍ନିଶମ, ସ୍କ୍ବାଡ୍ ଏହି ମକ୍ ଡ୍ରିଲ୍ ରେ ସାମିଲ ହୋଇଛନ୍ତି ।  ସୁରକ୍ଷା ଯାଞ୍ଚ କରିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ।  ତାଙ୍କ ସହ ପୋଲିସ କମିସନର, ଭୁବନେଶ୍ୱର ଡିସିପି, ଅତିରିକ୍ତ ପୋଲିସ କମିଶନର ସାମିଲ ଥିଲେ । ଜନତା ମଇଦାନ ଚାରିପାର୍ଶ୍ଵରେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ଦାୟିତ୍ଵ ପୋଲିସ ହାତରେ । ବହୁ ଧମକପୂର୍ଣ୍ଣ ମେଲ୍ ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଜୋରଦାର କରାଯାଇଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସାରା ବିଶ୍ବରୁ ଆସିବେ ପ୍ରବାସୀ। ପ୍ରବାସୀ ଭାରତୀୟଙ୍କୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଇ ଓଡିଶାର କଳାସଂସ୍କୃତି ଦେଖାଇବେ ରାଜ୍ୟ ସରକାର । ଡବଲ ଡେକର ଗାଡ଼ିରେ ପ୍ରବାସୀ ଓଡିଶାର ବିଭିନ୍ନ ସ୍ଥାନ ବୁଲି ଦେଖିବେ । ଓଡ଼ିଆ ଲୋକଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହେବ । ପ୍ରବାସୀ ଦିବସ ପାଇଁ ରାଜ୍ୟ ଓ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜଧାନୀରେ ମୁତୟନ ହେବେ ୮୦ପ୍ଲାଟୁନ ପୋଲିସ ଓ ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ । ୬୫୦ ଜଣ ବରିଷ୍ଠ ଅଫିସର ସୁରକ୍ଷା ଉପରେ ନଜର ରଖିବେ । ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ । ସିସିଟିଭି ସର୍ଭେଲାନ୍ସରେ ରହିବ ରାଜଧାନୀ ।