୮୦ ପ୍ରତିଶତ ସରିଛି କାମ, ମହାପ୍ରଭୁ ସବୁ ନିଜେ କରାନ୍ତି – ଆଇନମନ୍ତ୍ରୀ

ପୁରୀ : ପାଖେଇ ଆସୁଛି ରଥଯାତ୍ରା । ଆଉ ଦିନକ ପରେ ରତ୍ନବେଦୀ ଛାଡି ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାବାହୁ। ଆଉ ଗଜାନନ ବେଶରେ ଭକ୍ତଙ୍କୁ ଦେବେ ଦିବ୍ୟ ଦର୍ଶନ। ସେଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ଏବେ ପ୍ରବଳରୁ ଅତି ପ୍ରବଳ ଗରମ ଓ ଗୁଳୁଗୁଳି ହେଉଛି । ରଥଯାତ୍ରାରେ ହିଟ୍ ଷ୍ଟ୍ରୋକ ବା ଅଂଶୁଘାତ ମୁକାବିଲା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ଆଇନ ତଥା ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ରଥ ନିର୍ମାଣର ଅଗ୍ରଗତି, ରାସ୍ତାଘାଟ ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଆଇନ ଶୃଙ୍ଖଳା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଭିଡ଼ ନିୟନ୍ତ୍ରଣ ଟ୍ରାଫିକ କଟକଣା ଏବଂ ଯୋଗାଯୋଗ ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗରେ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି ।

ତତସହିତ ଶ୍ରଦ୍ଧାଳୁଙ୍କ ସମାଗମ ଆଶଙ୍କା କରାଯାଉଥିବାରୁ ପାନୀୟଜଳ, ଶୌଚାଳୟ, ରହଣି ସୁବିଧା, ଅପରାଧ ଦମନ, ଭିଡ଼ ନିୟନ୍ତ୍ରଣ, ଠାକୁରଙ୍କ ଶୃଙ୍ଖଳିତ ଦର୍ଶନ, ଉଚିତ୍ ମୂଲ୍ୟରେ ମହାପ୍ରସାଦ ଉପଲବ୍ଧ କରିବା, ବସ ଓ ଟ୍ରେନ୍ ଯାତ୍ରାକୁ ସହଜ ଓ ସୁଗମ କରିବା, ସଫେଇ, ଉତ୍ତମମାନର ଖାଦ୍ୟ ବିକ୍ରି, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସର୍ବୋପରି ରଥଯାତ୍ରାରେ ନୀତିନିର୍ଘଣ୍ଟ ଓ ନୀତିକାନ୍ତି ଉପରେ ଆଲୋଚନା ହୋଇଛି । ବିଭିନ୍ନ ବିଭାଗୀୟ ଅଧିକାରୀ, ସେବାୟତ ବୃନ୍ଦ, ରଥଯାତ୍ରା ସମନ୍ୱୟ କମିଟି ଏବଂ ପୁରୀ ସହରର ବରିଷ୍ଠ ନାଗରିକମାନଙ୍କ ସହ ଆଲୋଚନା କରିଛନ୍ତି ବିଭାଗୀୟ ମନ୍ତ୍ରୀମାନେ ।

୮୦% ପ୍ରସ୍ତୁତି କାର୍ଯ୍ୟ ଶେଷ
ବୈଠକ ପରେ ଆଇନମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ପ୍ରାୟ ୮୦% ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇ ହୋଇଛି । ଶ୍ରୀଗୁଣ୍ଡିଚାର ଯଥେଷ୍ଟ ପୂର୍ବରୁ ଅବଶିଷ୍ଟ ୨୦% ପ୍ରସ୍ତୁତି ସମ୍ପୂର୍ଣ୍ଣ ଶେଷ ହେବ । ସବୁ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟରେ କାର୍ଯ୍ୟ ଚାଲିଛି । ମହାପ୍ରଭୁ ନିଜେ ସବୁ କିଛି କରାନ୍ତି, ଆମେ କେବଳ ସେଗୁଡ଼ିକରେ ସହଯୋଗ କରୁ । ତେଣୁ ସମସ୍ତଙ୍କ ସମ୍ମିଳିତ ଉଦ୍ୟମରେ ସବୁକିଛି ସୁରୁଖୁରୁରେ ହେବ ବୋଲି ଆଇନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ନିୟୋଜିତ ହେବେ ୩୦୦ଡାକ୍ତର
ସେହିପରି ବୈଠକରେ ଯୋଗ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ କହିଛନ୍ତି, ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି । ବିଶେଷକରି ରଥଯାତ୍ରା ପାଇଁ ୩୦୦ଡାକ୍ତର ଚିକିତ୍ସା ପାଇଁ ନିୟୋଜିତ ହେବେ । ସେହିପରି ମେଡ଼ିକାଲରେ ୧୫ଟି ଅସ୍ଥାୟୀ ଆଇସିୟୁ (ICU) ବେଡ୍‌ ଓ ବର୍ଣ୍ଣ ୟୁନିଟର ମଧ୍ୟ ବ୍ୟବସ୍ଥା କରାଯାଇଛି । ରଥାଯାତ୍ରା ପରେ ସ୍ଥାୟୀ ଆଇସିୟୁ ବେଡ୍ କରାଯିବ । ସେହିପରି କୋଭିଡ୍‌ ପାଇଁ କେହି ବ୍ୟସ୍ତ ହେବାର କିଛି କାରଣ ନାହିଁ । ଯଦି ଦେହ ଅସୁସ୍ଥ ରହିଛି ତେବେ ଭିଡ଼କୁ ନ ଆସି ମାସ୍କ ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ବସଷ୍ଟାଣ୍ଡରୁ ବଡ଼ାଦାଣ୍ଡ ମାଗଣା ଅଟୋ ସେବା
ସେହିପରି ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ବଡ଼ ସୂଚନା ଦେଇ କହିଛନ୍ତି, ଶ୍ରଦ୍ଧାଳୁ ପାଇଁ ବସଷ୍ଟାଣ୍ଡରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ମାଗଣା ଅଟୋ ସେବା ପ୍ରଦାନ କରାଯିବ । ଏହାସହ ରଥଯାତ୍ରା, ବାହୁଡା଼ ଓ ସୁନାବେଶ ପାଇଁ ତାଳବଣିଆରେ ହେବ ଅସ୍ଥାୟୀ ବସଷ୍ଟାଣ୍ଡ । ପୁରୀକୁ ୨୫ ଟି ବସ ଚଳାଚଳ ପାଇଁ ସ୍ୱତନ୍ତ୍ର ପରମିଟ ଦିଆଯିବ ସହ ରେଟ ଚାର୍ଟ ଲଗାଯିବ ।

ଖାଲି ସେତିକି ନୁହେଁ ଚଳିତବର୍ଷ ରଥଯାତ୍ରାରେ ଏଆଇର ବ୍ୟବହାର କରାଯିବ । ଅପରାଧ ଓ ଭିଡ଼ ନିୟନ୍ତ୍ରଣ ପାଈଁ ସିସିଟିଭି ଓ ଇଣ୍ଟି ଗ୍ରେଟେଡ଼ କଣ୍ଟ୍ରୋଲ ରୁମର ସହାୟତା ନିଆଯିବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି ବିନୀତ ଅଗ୍ରୱାଲ ।

ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମାନ୍ୟବର ଉଚ୍ଚଶିକ୍ଷା,କ୍ରୀଡ଼ା ଓ ଯୁବ ବ୍ୟାପାର ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ସମ୍ବିତ ପାତ୍ର, ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଏହା ସହିତ ସମାଜସେବୀ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଯୁବ ବର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।