କଟକ: ହୀରାକୁଦ ଜଳଭଣ୍ଡାରରୁ ଅଧିକ ଜଳ ନିଷ୍କାସନ ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କଟକ ମୁଣ୍ଡଳିଠାରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ନଦୀକୂଳିଆ ଓ ତଳିଆ ଅଞ୍ଚଳରେ ଆଶଙ୍କା ବଢ଼ିବାରେ ଲାଗିଛି। ବନ୍ୟାଜଳ ବୃଦ୍ଧି ଯୋଗୁଁ କଟକ ଜିଲ୍ଲା ବାଙ୍କୀ ବ୍ଲକ୍ର ୬ଟି ଓ ତିଗିରିଆ ବ୍ଲକ୍ର ୪ଟି ପଞ୍ଚାୟତ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ବାଙ୍କୀର ହୁଲୁହୁଲା ସେତୁ ଉପରେ ପ୍ରାୟ ୩ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଜଳସମ୍ପଦ ବିଭାଗ ସ୍ଥିତି ଉପରେ କଡ଼ା ନଜର ରଖିଛି। ନଦୀ ଜଳସ୍ତର ଆହୁରି ବଢ଼ିଲେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିପାରେ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ସ୍ଥାନରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି।