ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ୬ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ଭୁବନେଶ୍ବର: ମାଓବାଦୀ ସଂଗଠନକୁ ପୁଣି ଏକ ଶକ୍ତ ଧକ୍କା ଲାଗିଛି। ଓଡ଼ିଶା ଏବଂ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିବା ୬ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ହିଂସାର ପଥ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଛତିଶଗଡ଼ର ବିଜାପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (SP)ଙ୍କ ନିକଟରେ ଏହି ହାର୍ଡକୋର ନକ୍ସଲମାନେ ଆନୁଷ୍ଠାନିକ ଭାବେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଓଡ଼ିଶାରେ ସକ୍ରିୟ ଥିବା ୪ ଜଣ ଏବଂ ପଶ୍ଚିମ ବସ୍ତର ଡିଭିଜନର ୨ ଜଣ ସଦସ୍ୟ ରହିଛନ୍ତି। ଓଡ଼ିଶା କ୍ୟାଡରର ୪ ଜଣ ନକ୍ସଲ ସଂଗଠନରେ ପିପିସିଏମ  ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ, ଯାହାଙ୍କ ନାମରେ ସରକାରଙ୍କ ପକ୍ଷରୁ ମୋଟ ୩୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏହି ସମସ୍ତ ମାଓବାଦୀ ଦୀର୍ଘ ବର୍ଷ ଧରି ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ଅଞ୍ଚଳରେ ହତ୍ୟା, ପୁଲିସ ଆକ୍ରମଣ, ସାଧାରଣ ଜନତାଙ୍କୁ ନିର୍ଯାତନା ଏବଂ ଅନେକ ହିଂସାତ୍ମକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ ବୋଲି ବିଜାପୁର ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।