5T ଅଧ୍ୟକ୍ଷଙ୍କ ହିଞ୍ଜିଳି ଗସ୍ତ, ସବୁ ସ୍ଥାନରେ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ବର : ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଆଜି ହିଞ୍ଜିଳି ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ଏହି ଅବସରରେ ହିଞ୍ଜିଳିବାସୀ ତାଙ୍କୁ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ଅପରାହ୍ନରେ ଶ୍ରୀ ପାଣ୍ଡିଆନ୍ ସର୍ବ ପ୍ରଥମେ ହିଞ୍ଜିଳିକାଟୁ ଗସ୍ତରେ ଯାଇ ପୋଚିଲିମା ଖମ୍ବେୟା ଦୋରା ଜୁନିୟର ବିଜ୍ଞାନ ମହାବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିପାଇଁ ୧୮୧.୨୩ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି। ଏହି ରୂପାନ୍ତର ଠିକ୍‌ ସମୟରେ ଶେଷ ହୋଇ ଥିବାରୁ ସେ ଅଧିକାରୀ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ।

ସେହିଠାରୁ ସାରୁ ଛକ ଏବଂ ମକରଝୋଳ ଛକ ଦେଇ ଗସ୍ତ କରିବା ବେଳେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଉତ୍ସାହର ସହିତ ସ୍ବାଗତ ଜଣାଇଥିଲେ । ଶ୍ରୀ ପାଣ୍ଡିଆନ୍ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ୍ ଠାରେ ହିଞ୍ଜିଳିକାଟୁ, ଶେରଗଡ ବ୍ଲକ୍ ଏବଂ ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳ ସ୍ଥିତ ମହାବିଦ୍ୟାଳୟର ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସେହିଠାରୁ ବିଜୁ ପଟ୍ଟନାୟକ ଛକ ନିକଟରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଖଣ୍ଡରା ଛକ, ବୁରୁପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଛକ, ମାରୁଡି ଛକ, ଗୋବିନ୍ଦପୁର, ପଥରାଭାଜି ଛକ, ସୁନାଥର ଛକ, ଶୋଳଷଳା ଛକ, ତାକରଡା, ଶେରଗଡ ଚାରିଛକ ଠାରେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା, ଲୋକପ୍ରତିନିଧି ଓ ସମର୍ଥକଗଣ ତାଙ୍କର ଏହି ଗସ୍ତକୁ ସ୍ବାଗତ ଜଣାଇ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

ଶେରଗଡସ୍ଥିତ ଗ୍ରାମ୍ୟ ଶିଳ୍ପ ପାର୍କ ଠାରେ ମିଶନ୍ ଶକ୍ତି ମା ମାନଙ୍କ ସହିତ ସେମାନଙ୍କ ଜୀବନ ଜୀବିକା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଗ୍ରାମ୍ୟ ଶିଳ୍ପ ପାର୍କର ରଣନୀତି ଓ ବିଭିନ୍ନ ସମସ୍ୟାର ସମାଧାନ କରି ଗ୍ରାମାଞ୍ଚଳରେ ବଜାର ଦ୍ବାରା ପରିଚାଳିତ ଜୀବିକା ସୁଯୋଗ ସମ୍ପର୍କରେ ସେ ଆଲୋଚନା କରିଥିଲେ ।

ଉଦ୍ୟୋଗୀ ମାନଙ୍କୁ ଶିଳ୍ପ କ୍ଷେତ୍ରରେ ପ୍ରେରଣା, ଚାକିରୀ ସୁଯୋଗ ସୃଷ୍ଟି କରିବା ଏବଂ ରାଜ୍ୟର ଅର୍ଥ ନୈତିକ ଉନ୍ନତିର ବିକାଶ ଧାରା କିଭଳି ବୃଦ୍ଧି ହେବ ସେଥି ନିମନ୍ତେ ଉଦ୍ଦିଷ୍ଟ ଗ୍ରାମ୍ୟ ଶିଳ୍ପ ନିମନ୍ତେ ପ୍ରୋତ୍ସାହିତ କରିଥିଲେ । ପୋଷାକ ତିଆରି କରିବା ୟୁନିଟ୍, ବଫେ କପ୍ ପ୍ଲେଟ୍ ପ୍ରସ୍ତୁତ ୟୁନିଟ୍, ଫୁଲଚାଷ, ବିୟୁଟି ପାର୍ଲର, ମକା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍, ତୈଳ ଉତ୍ପାଦନ ୟୁନିଟ୍, ବେକରି ୟୁନିଟ୍, ଜୋତା ପ୍ରସ୍ତୁତ ୟୁନିଟ୍ ର କାର୍ଯ୍ୟରତ ସଭ୍ୟା ଏବଂ ଏହି କାର୍ଯ୍ୟରେ ଯୋଡି ହେବାକୁ ଯାଉଥିବା ସଭ୍ୟା ମାନଙ୍କ ସହିତ ଆଲୋଚନା କରିଥିଲେ ।

ଶେରଗଡ ବ୍ଲକ୍ କାର୍ଯ୍ୟାଳୟ ଠାରେ ଶେରଗଡ ଓ ହିଞ୍ଜିଳିକାଟୁ ବ୍ଲକ୍ ଅଞ୍ଚଳର ହିତାଧିକାରୀ କୃଷକ ମାନଙ୍କ ସହିତ ସେମାନଙ୍କ ଚାଷ ଜମିରେ ଜଳ ଯୋଗାଣ ସମ୍ପର୍କରେ ଆଲୋଚନା କରିଥିଲେ । ଚାଷୀ ମାନଙ୍କର ବୃହତ୍ତର ସ୍ୱାର୍ଥ ସାଧନ ତଥା ରୋଜଗାର ବୃଦ୍ଧି ଓ କର୍ମ ସଂସ୍ଥାନ ନିମନ୍ତେ ଅନ୍ୟ ରାଜ୍ୟକୁ ପଳାୟନ ରୋକିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରତି ଏକର ଜଳସେଚନ ସୁନିଶ୍ଚିତ କରାଇବା ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କହିଥିଲେ ।

ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧ ବର୍ଷ ମଧ୍ୟରେ ୧୮୬.୪୭ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ଜରିଆରେ ଜଳସେଚିତ ଜମିର ପରିମାଣ ୯୩୧୪ ହେକ୍ଟରରୁ ୧୪୧୭୩ ହେକ୍ଟର ଅର୍ଥାତ୍ ଶତକଡା ୫୯.୫୧ରୁ ୯୦.୫୬ ହେକ୍ଟର କୁ ବୃଦ୍ଧି ନିମନ୍ତେ ୬୬ଟି ପ୍ରକଳ୍ପ ମାଧ୍ୟମରେ ୨୧ଟି ଗ୍ରାମପଞ୍ଚାୟତ ଅଞ୍ଚଳରେ କାର୍ଯ୍ୟକାରୀ କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେଥିମଧ୍ୟରୁ ବୃହତ୍ ଓ ମଧ୍ୟମ ଜଳସେଚନ ମାଧ୍ୟମରେ ୨୬୫୨ ହେକ୍ଟର, ହରଭଙ୍ଗୀ ଜଳସେଚନ ପ୍ରକଳ୍ପ ଦ୍ବାରା ଭୂତଳ ପାଇପ୍ ଲାଇନ୍ କ୍ଷୁଦ୍ର ଜଳସେଚନ ମାଧ୍ୟମରେ ୩୩ଟି ପ୍ରକଳ୍ପ, ବୃହତ୍ ଉଠା ଜଳସେଚନ ମାଧ୍ୟମରେ ୧୦୦୦ ହେକ୍ଟର ଓ ଉଠା ଜଳସେଚନ ୩୧ଟି ପ୍ରକଳ୍ପ ମାଧ୍ୟମରେ ୬୫୨ ହେକ୍ଟର ଜମିକୁ ଜଳସେଚନର ସୁବିଧା ଦିଆଯିବ। ସମୁଦାୟ ୨୧ଟି ଗ୍ରାମପଞ୍ଚାୟତ ଅଞ୍ଚଳରେ ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହାଦ୍ଵାରା ଶେରଗଡ ବ୍ଲକର ପ୍ରାୟ ୧୦ ହଜାର ଚାଷୀ ଉପକୃତ ହୋଇପାରିବେ।

୨ୟ ପର୍ଯ୍ୟାୟରେ ଅବଶିଷ୍ଟ ଜମିକୁ ବିଭିନ୍ନ ଉଠା ଜଳସେଚନ ଯୋଜନା ଦ୍ୱାରା ଜଳସେଚନ କରାଯାଇ ଶତ ପ୍ରତିଶତ ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ କରାଯାଇ ପାରିବ ବୋଲି ଶ୍ରୀ ପାଣ୍ଡିଆନ୍ କହିଛନ୍ତି ।