କିଟ୍‍ ବିଶ୍ୱବିଦ୍ୟାଳୟକୁ ‘୫ଜି ୟୁଜ୍‍ କେସ୍‍ ଲ୍ୟାବ୍‍’

ଭୁବନେଶ୍ୱର ୨୭ ।୧୦: ୭ମ ଇଣ୍ଡିଆନ୍‍ ମୋବାଇଲ୍‍ କଂଗ୍ରେସ ଉଦ୍‍ଘାଟନ କରିବା ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଟ୍‍ ବିଶ୍ୱବିଦ୍ୟାଳୟ ସମେତ ଦେଶର ଶହେଟି ଉଚ୍ଚତର ଶିକ୍ଷାନୁଷ୍ଠାନକୁ ୫ଜି ୟୁଜ୍‍ କେସ୍‍ ଲ୍ୟାବ ପ୍ରଦାନ କରିଛନ୍ତି । ଏହି ୫ଜି ୟୁଜ୍‍ କେସ୍‍ ଲ୍ୟାବଗୁଡ଼ିକରେ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ୫ଜି ଟେକ୍ନୋଲୋଜି କିପରି ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ସେ ନେଇ ଗବେଷଣା କରିବାର ସୁଯୋଗ ପାଇବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୫ଜି ୟୁଜ୍‍ ଲ୍ୟାବ ମଧ୍ୟ ଅଟଳ ଟିଙ୍କରିଂ ଲ୍ୟାବ୍‍ ଭଳି ସମାନ ପ୍ରଭାବ ପକାଇବ ବୋଲି ଆଶା ପୋଷଣ କରିଥିଲେ । ସେ କହିଲେ, ୧୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍‍ ମାଧ୍ୟମରେ ୭୫ହଜାର ବିଦ୍ୟାଳୟ ଛାତ୍ରଛାତ୍ରୀ କଟିଂ-ଏଜ୍‍ ଟେକ୍ନୋଲୋଜି ସହ ପରିଚିତ ହୋଇପାରିଛନ୍ତି । ସେହିପରି ୫ଜି ୟୁଜ୍‍ ଲ୍ୟାବ୍‍ ଯୁବଗୋଷ୍ଠୀକୁ ଟେକ୍ନୋଲୋଜି କ୍ଷେତ୍ରରେ ସେମାନଙ୍କର ସ୍ୱପ୍ନ ସାକାର କରିବାରେ ସହାୟକ ହେବ ବୋଲି ସେ କହିଥିଲେ । ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ଶକ୍ତି ଓ ପରିବହନ ଆଦି କ୍ଷେତ୍ରରେ ଭାରତ ଓ ବିଶ୍ୱର ଚାହିଦାକୁ ଦେଖି କିପରି ୫ଜି ଟେକ୍ନୋଲୋଜିକୁ ବ୍ୟବହାର କରି ବିଭିନ୍ନ ଆପ୍‍ ବିକଶିତ କରାଯାଇପାରିବ ତାହା ହେଉଛି ଏହି ଲ୍ୟାବ୍‍ର ଲକ୍ଷ୍ୟ । ଏହା ଛଡ଼ା ଏହି ଲ୍ୟାବ୍‍ ଆଗକୁ ୬ଜି ବିକଶିତ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଷ୍ଟାର୍ଟଅପ୍‍ ଇକୋସିଷ୍ଟମ୍‍ ତିଆରି କରିବ ।