୧୪ ରାଜ୍ୟର ୫୦ ସହରରେ ୫ଜି ସେବା: ତାଲିକାରେ ଓଡ଼ିଶାର କୌଣସି ସହରର ନାଁ ନାହିଁ

ଭୁବନେଶ୍ୱର୍‌: ଓଡ଼ିଶାକୁ ପୁଣି କେନ୍ଦ୍ର ସରକାର ଅଣଦେଖା କରିଛନ୍ତି । କେନ୍ଦ୍ର ଯୋଗାଯୋଗ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ଗସ୍ତ ସମୟରେ ଏକ ଘରୋଇ ଓଡ଼ିଆ ଟିଭି ଚ୍ୟାନେଲରେ ମାର୍ଚ୍ଚ ସୁଦ୍ଧା ରାଜ୍ୟକୁ ୫ଜି ସେବା ଆସିବ ବୋଲି ଦୃଢ଼ତାର ସହ କହିଥିଲେ । ହେଲେ ତାଙ୍କ ପ୍ରତିଶ୍ରୁତି ସାରୁପତ୍ରରେ ପାଣି ସଦୃଶ ହୋଇଛି । କାରଣ ରାଜ୍ୟସଭାରେ କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦିଭୂସିଂହ ଚୌହାନ ପ୍ରଦାନ କରିଥିବା ତଥ୍ୟରୁ ତାହା ଜଳ ଜଳ ଦିସୁଛି । ଏବେ ଦିଲ୍ଲୀ ସମେତ ଭାରତର ୧୪ ରାଜ୍ୟର ୫୦ ସହରରେ ୫ଜି ସେବା ଉପଲବ୍ଧ ବୋଲି ରାଷ୍ଟ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଉକ୍ତ ତାଲିକାରେ ଓଡ଼ିଶାର ନାଁ ନାହିଁ । କେବେ ଆସିବ ତାହା ବି ସ୍ପଷ୍ଟ ହୋଇନାହିଁ । ତେଣୁ ବିଶେଷଜ୍ଞଙ୍କ ମତାନୁସାରେ ଅତିକମ୍‌ରେ ୫ ବର୍ଷ ଲାଗିବ ବୋଲି କୁହାଯାଇଛି । ୧୪ ଡିସେମ୍ବର ୨୦୨୨ରେ ରାଜ୍ୟସଭାରେ ସାଂସଦ ଦେବେନ୍ଦ୍ର ସିଂ ଭୋଗଲେଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦିଭୂସିଂହ ଚୌହାନ କହିଥିଲେ, କେନ୍ଦ୍ର ଶାସିତ ରାଜ୍ୟ ଦିଲ୍ଲୀ ସମେତ ୧୪ ରାଜ୍ୟରେ ୫୦ ସହରରେ ୫ଜି ସେବା ଉପଲବ୍ଧ ହୋଇଛି । ମହାରାଷ୍ଟ୍ରରେ ମୁମ୍ବାଇ, ନାଗପୁରରେ ୫ଜି ସେବା ପ୍ରଦାନ କରାଯାଇଥିବାବେଳେ ପଶ୍ଚିମବଙ୍ଗରେ କୋଲକାତା ଓ ସିଲଗୁଡ଼ି, ଉତ୍ତରପ୍ରଦେଶରେ ବାରାଣାସି ଓ ଲକ୍ଷେ୍ମା÷, ତାମିଲନାଡ଼ୁର ଚେନ୍ନାଇ, କର୍ଣ୍ଣାଟକରେ ବେଙ୍ଗାଲୁରୁ, ତେଲେଙ୍ଗାନାରେ ହାଇଦ୍ରାବାଦ, ରାଜସ୍ଥାନରେ ଜୟପୁର, ହରିୟାନାରେ ପାନିପତ୍‌, ଆସାମରେ ଗୌହାଟି, କେରଳରେ କୋଚି, ବିହାରରେ ପାଟନା ଓ ଆନ୍ଧ୍ରପ୍ରଦେଶରେ ବିଶାଖାପାଟମ୍‌ରେ ଏହି ଅତ୍ୟାଧୂନିକ ସେବା ପ୍ରଦାନ କରାଯାଇଛି । ହେଲେ ଗୁଜରାଟ ରାଜ୍ୟରେ ସର୍ବାଧିକ ଅଧିକ ସହରରେ ୫ଜି ସେବା ଉପଲବ୍ଧ ଥିବା ତାଲିକାରେ ରହିଛି । ସେସବୁ ସହରଗୁଡ଼ିକ ହେଉଛି ଅହମ୍ମଦାବାଦ୍‌, ଗାନ୍ଧୀନଗର, ଭାବନଗର, ମେହେସନା, ରାଜକୋଟ୍‌, ସୁରଟ୍‌, ଭଦୋଦରା, ଅମ୍ରେଲି, ବୋଟାଡ୍‌, ଜୁନାଗଡ଼, ପୋର୍‌ବନ୍ଦର, ଭେରବାଲ୍‌, ହିମ୍ମତନଗର,ମୋଡାସା, ପାଲନପୁର, ପତନ, ଭୂଜ, ଜାମନଗର, ଖମ୍ବାଳିଆ, ମୋର୍ଭି, ମାଧୱାନ, ଆହ୍ୱା, ଭାରୁଚ, ନବସାରୀ, ରାଜପିପ୍‌ଲା, ଭାଲସାଦ, ଭ୍ୟାରା, ଆନନ୍ଦ, ଛୋଟା ଉଦୟପୁର, ଦୋହାଣ୍ଡ, ଗୋଧ୍ରା, ଲୁନାୱାଡ଼ା ଓ ନଦୀଆଦ୍ ସହର । ଅର୍ଥାତ ୩୪ ସହରରେ ୫ଜି ସେବା ଉପଲବ୍ଧ ହୋଇଛି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ମାତ୍ର ଦୁଃଖର କଥା ଦେଶ ନମ୍ବର-୧ ସ୍ମାଟ୍ ସିଟି ଭୁବନେଶ୍ୱର ବା ରାଜ୍ୟର ଷ୍ଟିଲ୍‌ସିଟି ରାଉରକେଲା, ସିଲ୍‌ଭର୍ ସିଟି କଟକ ଓ ପଶ୍ଚିମଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହରକୁ ଆଦୌ ଗୁରୁତ୍ୱ ଦିଆଯାଇନି । ଏନେଇ ରାଜ୍ୟରେ ସବୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାର ମୂଳ କାରଣ ହେଉଛି ଏହି ଅତ୍ୟାଧୂନିକ ସେବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ପ୍ରାୟ ଦୁଇ ବର୍ଷରୁ ୫ ବର୍ଷ ଲାଗିବ ବୋଲି ପୂର୍ବ ଘୋଷଣା କରାଯାଇଛି । ତେଣୁ ଅତି କମ୍‌ରେ ୫ ବର୍ଷ ପରେ ଓଡ଼ିଶା ଲୋକେ ୫ଜି ସେବା ସୁବିଧା ପାଇବେ । ଉଲ୍ଲେଖନୀୟ ଯେ, ଦୀର୍ଘ ଦିନର ପ୍ରତୀକ୍ଷା ପରେ ଭାରତରେ ୧ ଅକ୍ଟୋବରରେ ୫ଜି ସେବା ଆରମ୍ଭ ହେଲା । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଥିବା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗାଁ ଦୁର୍ଗମ ଗ୍ରାମ ପାହାଡ଼ପୁରର ଏସ୍‌ଏଲ୍‌ଏସ୍ ମେମୋରିଆଲ ରେସିଡେନ୍ସିଆଲ୍ ସ୍କୁଲରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ତେବାସୀ ଜିଓର ଟ୍ରୁ-୫ଜି ନେଟ୍‌ୱର୍କ ଦ୍ୱାରା ପରିଚାଳିତ ଶିକ୍ଷା ସମ୍ବନ୍ଧୀୟ ଏକ ସ୍ୱତନ୍ତ୍ର ଲାଇଭ୍ ପ୍ରଦର୍ଶନ ଅଧିବେଶନରେ ଅଂଶ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଗତି ମଇଦାନରେ ଅନୁଷ୍ଠିତ ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସ ୨୦୨୨ରେ ୫ଜି ସେବାର ଶୁଭାରମ୍ଭ କଲେ । ଦିଲ୍ଲୀ, ମୁମ୍ବାଇ, କୋଲ୍‌କାତା, ଅହମ୍ମଦାବାଦ, ବାରାଣସୀ ଓ ଚେନ୍ନାଇ ସମେତ ଦେଶର ୮ଟି ସହରକୁ ଏୟାର୍‌ଟେଲ୍‌ର ୫ଜି ସେବା ମିଳିବା ଆରମ୍ଭ କଲା । ଏହା ଦ୍ୱାରା ସିମ୍‌ଲେସ୍ କଭ୍‌ରେଜ୍‌, ଡାଇ ଡାଟା ରେଟ୍‌, ଲୋ ଲେଟେନ୍ସି ଓ ଅତ୍ୟଧିକ ବିଶ୍ୱସନୀୟ ସଞ୍ଚାର ପ୍ରଣାଳୀର ସୁବିଧା ମିଳିବା ସହ ଲାଟେଷ୍ଟ ଜେନେରେସନ୍‌ର ଟେଲିକମ୍ ସର୍ଭିସ୍ ସୁବିଧା ବି ମିଳିଛି । ଆସନ୍ତା ଦୁଇବର୍ଷ ମଧ୍ୟରେ ଏହି ସେବା ସାରା ଦେଶରେ ପହଞ୍ଚିବ ବୋଲି କୁହାଯାଇଥିଲା । ତେବେ ୨୦୨୩ ଡିସେମ୍ବର ସୁଦ୍ଧା ଦେଶର ପ୍ରତି ସହର ଓ ପ୍ରତି ତହସିଲରେ ୫ଜି ପ୍ରଦାନ କରିବା ଲାଗି ଜିଓର ପ୍ରତିବଦ୍ଧତାକୁ ଦୋହରାଇବାକୁ ଚାହୁଛି ବୋଲି ମୁକେଶ ଅମ୍ବାନୀ ଘୋଷଣା କରିଥିଲେ । ମାତ୍ର ଓଡ଼ିଶା ବଞ୍ଚିତ ହୋଇଥିବାରୁ ।