ରାଜଧାନୀ ରେ ମୋବାଇଲ ଲୁଟିଆ ଙ୍କ ଆକ୍ରମଣ ର ଶିକାର ହେଲେ ସାମ୍ବାଦିକ

ଆଜି ସକାଳୁ ସକାଳୁ ରାଜଧାନୀ ରେ ପ୍ରାତଃ ଭ୍ରମଣ ସମୟରେ ଜଣେ ସାମ୍ବାଦିକ ଙ୍କ ଉପରେ ଆକ୍ରମଣ ହୋଇଛି I ରାଜଧାନୀର ଶତାବ୍ଦୀ ନଗର ଅଞ୍ଚଳରେ ରହୁଥିବା ବରିଷ୍ଠ ସାମ୍ବାଦିକଙ୍କ ସତ୍ୟ ରଞ୍ଜନ ଭଞ୍ଜ ଏହି ଆକ୍ରମଣର ଶିକାର ହୋଇଛନ୍ତି । ସେ ସ୍ଥାନୀୟ ଏକ ଖବରକାଗଜରେ ପଶ୍ଚିମ ଓଡ଼ିଶା ମୁଖ୍ୟ ଭାବେ କାମ କରୁଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ପ୍ରଥମେ ଲୁଟେରା ମାନେ ଆସି ‘ମୋବାଇଲ ଦେ, ମୋବାଇଲ ଦେ’ ବୋଲି ଧମକାଇଲେ।ମୋବାଇଲ ନ ଦେବାରୁ ୨ ଜଣ ଯୁବକ ତାଙ୍କୁ ଲୁହା ରଡ୍‌ରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ସତ୍ୟ ରଞ୍ଜନଙ୍କ ଭାଇଙ୍କ କହିବାନୁଯାୟୀ, ପରିବାର ସହ ସତ୍ୟ ରଞ୍ଜନ ଶତାବ୍ଦୀ ନଗର ଅଞ୍ଚଳରେ ରହୁଛନ୍ତି। ଆଜି ସକାଳେ ସେ ମର୍ଣ୍ଣିଂ ୱାକ୍ କରିବାକୁ ଯାଇଥିଲେ। ଘରଠୁ ମାତ୍ର ୫ଶହ ମିଟର ଦୂରରେ ଥିବା ବେଳେ ୨ ଜଣ ଯୁବକ ଏକ ବାଇକ୍‌ରେ ତାଙ୍କ ପିଛା କରି ଆସିଲେ। ତାଙ୍କ ନିକଟରେ ଗାଡ଼ି ଅଟକାଇ ମୋବାଇଲ ଦେ ବୋଲି ଧମକାଇଥିଲେ। ମାତ୍ର ସତ୍ୟରଞ୍ଜନ ପ୍ରତିବାଦ କରିବାରୁ ସେମାନଙ୍କ ମଧ୍ୟରେ ହାତାହାତି ହୋଇଥିଲା।
ଏଥିରେ ଉତ୍ତ୍ୟକ୍ତ ହୋଇ ଉକ୍ତ ୨ ଯୁବକ ସାଙ୍ଗରେ ଆଣିଥିବା ଏକ ଲୁହା ରଡ୍‌ରେ ସତ୍ୟ ରଞ୍ଜନଙ୍କୁ ଆକ୍ରମଣ କରିଥିଲେ। ଏହାପରେ ସେମାନେ ମୋବାଇଲ ନେଇ ଫେରାର ହୋଇ ଯାଇଥିଲେ। ଖବର ପାଇ ପରିବାର ଲୋକ ସତ୍ୟରଞ୍ଜନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ସତ୍ୟଙ୍କ ଭାଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।
ରାଜଧାନୀରେ ଢିଲା ପାଟ୍ରୋଲିଂ ବ୍ୟବସ୍ଥାକୁ ନେଇ ସବୁବେଳେ ଅଭିଯୋଗ ହୋଇ ଆସୁଥିବା ବେଳେ ଏହାର ସୁଯୋଗ ନେଇ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ରାତିରେ ବାହାରକୁ ବାହାରିବାକୁ ଲୋକେ ସୁରକ୍ଷିତ ମଣୁ ନ ଥିବା ବେଳେ ଦିନରେ ବି ମରଣାତ୍ମକ ଆକ୍ରମଣର ଶିକାର ହେଉଛନ୍ତି। ସକାଳ ସମୟ ରେ ରାସ୍ତାଘାଟ ଫାଙ୍କା ରହୁଥିବାରୁ ଏହାର ସୁଯୋଗ ନେଇ ଲୁଟେରା ମାନେ ମହିଳା ମାନଙ୍କ ଠାରୁ ସୁନା ଅଳଙ୍କାର ଲୁଟୁଥିବା ବେଳେ ବର୍ତ୍ତମାନ ଅଧିକାଂଶ ସମୟରେ ମୋବାଇଲ ଲୁଟ ଘଟଣା ସାମ୍ନାକୁ ଆସୁଛି I

Comments (0)
Add Comment