ଓଡ଼ିଶାର ଗର୍ବ: ଅମିତ ରୋହିଦାସ ହେଲେ ଭାରତୀୟ ହକି ଟିମ୍ କ୍ୟାପ୍ଟେନ

ହକି ଇଣ୍ଡିଆ ପକ୍ଷରୁ ୨୦ ଜଣିଆ ଭାରତୀୟ ପୁରୁଷ ହକି ଦଳର ନାଁ ଘୋଷଣା କରାଯାଇଛି । ଆଉ ଏହି ଦଳର କ୍ୟାପଟେନ ଭାବେ ଓଡ଼ିଶାର ଅମିତ ରୋହିଦାସଙ୍କୁ ଦାୟିତ୍ୱ ଦିଆଯାଇଛି । ଏଫଆଇଏଚ ହକି ପ୍ର ଲିଗ ୨୦୨୧-୨୦୨୨ ଦ୍ୱାରା ଅନୁଷ୍ଠିତ ବେଲ୍ଜିୟମ ଓ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଅମିତ ଭାରତ ଦଳ ପକ୍ଷରୁ କ୍ୟାପଟେନ ସିପ କରିବେ । ସୂଚନା ମୁତାବକ ଆସନ୍ତା ଜୁନ ୧୧ ଓ ୧୨ତାରିଖରେ ଅନ୍ତରୀପ ଠାରେ ଭାରତ ଓ ବେଲ୍ଜିୟମ ମୁହାଁମୁହିଁ ହେବେ । ଯେବେକି ରୋଟେରଡ଼ାମ ଠାରେ ଜୁନ ୧୮ ଓ ୧୯ତାରିଖରେ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବ ଟିମ ଇଣ୍ଡିଆ । ଏଥିପାଇଁ ଅମିତ ରୋହିଦାସଙ୍କୁ କ୍ୟାପଟେନ ଭାବେ ଚୟନ କରାଯାଇଥିବା ବେଳେ ଭାଇସ କ୍ୟାପଟେନ ଭାବେ ହର୍ମନପ୍ରୀତ ସିଂହଙ୍କୁ ଚୟନ କରାଯାଇଛି ।। ଅଲିମ୍ପିକ୍ସରେ ଡିଫେଣ୍ଡର ଭାବେ ବ୍ରୋଞ୍ଜ ପଦକ ଜିତିବା ରୋହିଦାସଙ୍କ କ୍ୟାପ୍ଟେନ୍ସିରେ ଭାରତ ୨୦୨୧-୨୨ ଏଫଆଇଏଚ୍ ପ୍ରୋ ଲିଗ୍ର ଗୁରୁତ୍ୱପୂର୍ଣ୍ଣ ଶେଷ ଲେଗ୍ ମ୍ୟାଚ୍ ଖେଳିବ। ତାଙ୍କ କ୍ୟାପ୍ଟେନ୍ସିରେ ଭାରତୀୟ ହକି ଟିମ୍ ଶକ୍ତିଶାଳୀ ବେଲଜିୟମ ଓ ନେଦରଲ୍ୟାଣ୍ଡ୍ସକୁ ଭେଟିବ। ପୂର୍ବରୁ ଘରୋଇ ପରିବେଶରେ ଖେଳାଯାଇଥିବା ଏହି ଲିଗ୍ ମଧ୍ୟ ରୋହିଦାସ ଭାରତ କମାଣ ସମ୍ଭାଳିଥିଲେ।
ବର୍ତ୍ତମାନ ଏଫଆଇଏଚ୍ ପ୍ରୋ ଲିଗ୍ରେ ଭାରତ ୧୨ ମ୍ୟାଚ୍ରୁ ୨୭ ପଏଣ୍ଟ ହାସଲ କରି ସମସ୍ତଙ୍କ ଠାରୁ ଆଗରେ ରହିଛି। ଏବେ ଏହି ଲିଡ୍କୁ ଆହୁରି ବଢ଼ାଇବାକୁ ଦଳ ଚେଷ୍ଟା କରିବ। ଏହି ଟୁର୍ ରେ ରୋହିଦାସଙ୍କ ଡେପୁଟି ଭାବେ ଡ୍ରାଗ ଫ୍ଲିକର ହରମନପ୍ରୀତ ସିଂହ ଦାୟିତ୍ୱ ସଂପାଦନ କରିବେ।
ବିଶ୍ୱର ୨ ନଂ ସ୍ଥାନରେ ଥିବା ବେଲଜିୟମ ସହ ଭାରତ ଜୁନ୍ ୧୧ ଓ ୧୨ରେ ମ୍ୟାଚ୍ ଖେଳିବ। ସେହିପରି ଜୁନ୍ ୧୮ ଓ ୧୯ରେ ନେଦରଲ୍ୟାଣ୍ଡ୍ସକୁ ଭେଟିବ। ପ୍ରୋ ଲିଗ୍ ସିରିଜ୍ରେ ଭାରତ ଘରୋଇ ପରିବେଶରେ ସ୍ପେନ ଠାରୁ ଗୋଟିଏ ମ୍ୟାଚ୍ ହାରିଥିଲା ଓ ଗୋଟିଏରେ ଜିତିଥିଲା। ସେହିପରି ଆର୍ଜେଣ୍ଟିନା ବିପକ୍ଷରେ ମଧ୍ୟ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ମିଳିଛି। ଇଂଲଣ୍ଡକୁ କିନ୍ତୁ ଭାରତ ୨ଟି ଯାକ ମ୍ୟାଚ୍ରେ ହରାଇଛି। ଏବେ ଦଳ ବେଲଜିୟମ ଓ ନେଦରଲ୍ୟାଣ୍ଡ୍ସରେ ୨ଟି ଲେଖାଏ ମ୍ୟାଚ୍ ଖେଳିବ।
ଗୋଲ କିପର: ସୁରଜ କାରକେରା, ପିଆର ଶ୍ରୀଜେଶ
ଡିଫେଣ୍ଡର: ସୁରେନ୍ଦ୍ର କୁମାର, ହରମନପ୍ରୀତ ସିଂହ(ଉପ ଅଧିନାୟକ), ବରୁଣ କୁମାର, ଅମିତ ରୋହିଦାସ(ଅଧିନାୟକ), ଯୁଗରାଜ ସିଂହ, ଜରମନପ୍ରୀତ ସିଂହ
ମିଡ ଫିଲ୍ଡର: ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ଶମସେର ସିଂହ, ବିବେକ ସାଗର ପ୍ରସାଦ, ଆକାଶଦୀପ ସିଂହ, ନୀଳକଣ୍ଠ ଶର୍ମା
ଫରୱାର୍ଡ: ଗୁରଜନ୍ତ ସିଂହ, ମନଦୀପ ସିଂହ, ଶିଳାନ୍ଦ ଲାକ୍ରା, ସୁଖଜୀତ ସିଂହ, ଲଳିତ କୁମାର ଉପାଧ୍ୟାୟ ଓ ଅଭିଷେକ।