୭ ଜିଲ୍ଲାରେ ସୃଷ୍ଟିହେବ ୫୧୩୪ ନିଯୁକ୍ତି ସୁଯୋଗ, ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର : ରାଜ୍ୟ ସରକାର ରାଜ୍ୟର ୧୨୭ ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୧୭୧୩.୬୫ କୋଟି ଟଙ୍କାର ବିଭିନ୍ନ ଶିଳ୍ପ ପ୍ରକଳ୍ପରେ ପୁଞ୍ଜି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଫଳରେ ରାଜ୍ୟରେ ଧାତବ ଏବଂ ଆନୁଷଙ୍ଗିକ ଶିଳ୍ପ, ଶକ୍ତି, ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ଶିଳ୍ପସ୍ଥାପନ ହେବ। ଏହାଦ୍ୱାରା ୭ଟି ଜିଲ୍ଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ୫୧୩୪ ଯୁବକଯୁବତୀ ନିଯୁକ୍ତି ପାଇବେ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି ।

ଯାଜପୁରରେ ନିଓ ଇଣ୍ଡଷ୍ଟ୍ରିଜ୍‌ ମେଟାଲ୍‌ ପ୍ରୋସେସିଂକ ସଂସ୍ଥା ୭୨ କୋଟି ଟଙ୍କାରେ କାରଖାନା ସ୍ଥାପନ କରିବ ଓ ଏହି ସଂସ୍ଥାରେ ୫୦ ଜଣଙ୍କ ପାଇଁ ନିଯୁକ୍ତିସୁଯୋଗ ସୃଷ୍ଟି ହେବ। ସେହିପରି ଆନନ୍ଦ ଏକ୍ସପୋର୍ଟ ଯାଜପୁରରେ ସ୍ଥାପନ କରିବାକୁ ଥିବା ଶିଳ୍ପରେ ୨୮୨୮ ଜଣଙ୍କୁ ନିଯୁକ୍ତି ମିଳିବ। ସ୍କାଏ ମେଟାଲ ପକ୍ଷରୁ କଳିଙ୍ଗନଗରରେ ମେଟାଲ୍‌ ଡାଉନ୍‌ଷ୍ଟ୍ରିମ୍‌ ୟୁନିଟ୍‌ ପ୍ରତିଷ୍ଠା କରାଯିବ। ୧୦୧ କୋଟି ଟଙ୍କାର ପ୍ରକଳ୍ପରେ ୧୦୫ ଜଣଙ୍କୁ ନିଯୁକ୍ତି ମିଳିବ। ରାଜ୍ୟ ପର୍ଯ୍ୟଟନ ଶିଳ୍ପର ସମୃଦ୍ଧି ପାଇଁ ବିଳାସପୂର୍ଣ୍ଣ ରିସର୍ଟ ଓ ହୋଟେଲ୍‌ ଶିଳ୍ପ ନିମନ୍ତେ ଆଗ୍ରହ ପ୍ରଦର୍ଶନ କରିଥିବା ମହିନ୍ଦ୍ରା ହଲିଡେଜ୍‌ ଆଣ୍ଡ ରିସର୍ଟ ପ୍ରକଳ୍ପକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ବ୍ରହ୍ମପୁରର ବାହୁଡ଼ା ନଦୀ ମୁହାଣ ନିକଟରେ ସୋନାପୁର ବେଳାଭୂମିରେ ଏହି ସଂସ୍ଥା ଏକ ବିଳାସପୂର୍ଣ୍ଣ ରିସର୍ଟ ନିର୍ମାଣ କରିବ। ଏଥିପାଇଁ ସଂସ୍ଥା ୨୨୮.୪୫ କୋଟି ଟଙ୍କା ନିବେଶ କରିବ ଏବଂ ଗଞ୍ଜାମ ଓ ଚିକିଟି ଅଞ୍ଚଳର ୧୫୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ଟିଏସ୍‌ ବିଚ୍‌ ରିସର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ପୁରୀର ସିପସରୁବାଲିଠାରେ ଚାରି ତାରକା ହୋଟେଲ ସହ ସମ୍ମିଳନୀ କକ୍ଷ କରିବା ପାଇଁ ଅନୁମତି ମିଳିଛି। ୧୩୨.୧୬ କୋଟି ଟଙ୍କାରେ ଏହି ପ୍ରକଳ୍ପ ଦ୍ୱାରା ୨୫୦ ନିଯୁକ୍ତି ପାଇବେ। ହାଟେଲ୍‌ ରଶ୍ମି ପ୍ଲାଜା ଓପିସି ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଝାରସୁଗୁଡ଼ାରେ ଏକ ଚାରିତାରକା୍‌ ହୋଟେଲ ନିର୍ମାଣ ହେବ। ଏଥିରେ ୭୦.୭୪ କୋଟି ଟଙ୍କା ନିବେଶ ହେବ ଓ ୨୧୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ।

ଅନୁରୂପ ଭାବରେ ଜିନ୍ଦର ଷ୍ଟେନ୍‌ଲେସ ଲିମିଟେଡ୍‌ ପକ୍ଷରୁ ୧୧୦.୨୪ କୋଟି ଟଙ୍କା ବିନିଯୋଗରେ ଯାଜପୁରର କଳିଙ୍ଗନଗରଠାରେ ଅକ୍ଷୟଶକ୍ତି ପ୍ଲାଣ୍ଟ ସ୍ଥାପନ କରିବ, ଯେଉଁଠାରେ ୬୦ ଜଣ ନିଯୁକ୍ତି ପାଇବେ। ଏସିକେମ୍‌ ରିମେଡି ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ୫୩ କୋଟି ଟଙ୍କା ନିବେଶରେ ଫାର୍ମାସିଟିକାଲ୍‌ କେନ୍ଦ୍ର ଖୋଲାଯିବ। ଏହାଦ୍ୱାରା ୧୬୩ ଜଣଙ୍କୁ ନିଯୁକ୍ତି ମିଳିବ। ବେଷ୍ଟ ପାୱାର ଇକ୍ୱିଇପ୍‌ମେଣ୍ଟ ଇଣ୍ଡିଆ ପକ୍ଷରୁ ଖୋର୍ଦ୍ଧାରେ ୫୨.୭୫ କୋଟି ଟଙ୍କା ବିନିଯୋଗରେ ବୈଦ୍ୟୁତିକ ସାରଞ୍ଜମ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବ ଏବଂ ଏଠାରେ ୩୫୦ ଜଣଙ୍କୁ କର୍ମ ନିଯୁକ୍ତି ମିଳିବ। ଓରିବେକ୍‌ ପକ୍ଷରୁ ୫୧.୮୦ କୋଟି ଟଙ୍କା ବିନିଯୋଗରେ କଟକଠାରେ ଏକ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା ହେବ। ଏଥିରେ ୨୮୦ ଜଣଙ୍କୁ ନିଯୁକ୍ତି ମିଳିବ। ସନ୍‌ ଆଗ୍ରୋ ଫୁଡ୍‌ସ ପକ୍ଷରୁ ଯାଜପୁରରେ ୫୦.୪୩ କୋଟି ଟଙ୍କା ବିନିଯୋଗରେ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା କରିବ, ଏଥିରେ ୯୮ ଜଣଙ୍କୁ ନିଯୁକ୍ତି ମିଳିବ। ଏସ୍‌ଏମ୍‌ଭିଡି ପକ୍ଷରୁ ୬୧.୩୦ କୋଟି ଟଙ୍କା ବିନିଯୋଗରେ ଜଗତସିଂହପୁରଠାରେ ପ୍ଲାଷ୍ଟିକ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ହେବ। ଏଥିରେ ୨୧୫ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ଟେକ୍ନୋ ଇଣ୍ଡିଆ ଖୋର୍ଦ୍ଧାରେ ୫୧ କୋଟି ଟଙ୍କା ବିନିଯୋଗରେ ପ୍ଲାଷ୍ଟିକ୍‌ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ହେବ। ଏଥିରେ ୩୦୦ ଜଣଙ୍କୁ ନିଯୁକ୍ତି ମିଳିବ। ମେଡିଏଡ୍‌ ମାର୍କେଟିଂ ସଂସ୍ଥା ପକ୍ଷରୁ ୫୦.୭୮ କୋଟି ଟଙ୍କା ବିନିଯୋଗରେ କଟକରେ ପ୍ଲାଷ୍ଟିକ୍‌ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ହେବ। ଏଥିରେ ୭୫ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।