ଭୁବନେଶ୍ବର: ବାଲେଶ୍ୱର ଭୋଗରାଇରୁ ଉଦ୍ଧାର ହେବା ପରେ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଣାଯାଇଥିବା ୫ଟି ବିରଳ ଓରାଙ୍ଗଉଟାନଙ୍କ ପାଇଁ ସ୍ୱତନ୍ତ୍ର ପରିଚର୍ଯ୍ୟା ଓ ନିରୀକ୍ଷଣ ବ୍ୟବସ୍ଥା ଆରମ୍ଭ ହୋଇଛି। ପ୍ରାଣୀଉଦ୍ୟାନର ପ୍ରାଣୀ ଚିକିତ୍ସାଳୟରେ ଥିବା ସ୍ୱତନ୍ତ୍ର ପୃଥକୀକରଣ କକ୍ଷରେ ସେମାନଙ୍କୁ ରଖାଯାଇଛି। ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସମସ୍ତ ଓରାଙ୍ଗଉଟାନ ସମ୍ପୂର୍ଣ୍ଣ ସୁସ୍ଥ ଓ ସ୍ଥିର ଥିବା ଜଣାପଡ଼ିଛି। ସୁରକ୍ଷା ତଥା ସ୍ୱାସ୍ଥ୍ୟଗତ କାରଣକୁ ଦୃଷ୍ଟିରେ ରଖି ସେମାନଙ୍କୁ ଆଗାମୀ ଏକ ମାସ ପର୍ଯ୍ୟନ୍ତ ସ୍ୱତନ୍ତ୍ର ନିରୀକ୍ଷଣରେ ରଖାଯିବ। ଏହି ଓରାଙ୍ଗଉଟାନଗୁଡ଼ିକର ସମୁଚିତ ଦେଖାଶୁଣା ପାଇଁ ୩ଟି ପାଳିରେ ପ୍ରାଣୀ ଚିକିତ୍ସକ ଏବଂ ରକ୍ଷଣାବେକ୍ଷଣକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ରାତ୍ରି ସମୟରେ ମଧ୍ୟ ସେମାନଙ୍କ ଜରୁରୀ ସେବା ପାଇଁ ଜଣେ ସ୍ୱତନ୍ତ୍ର ଡାକ୍ତର ଉପସ୍ଥିତ ରହୁଛନ୍ତି। ଏହି ସ୍ୱତନ୍ତ୍ର ଦଳ କେବଳ ଓରାଙ୍ଗଉଟାନଙ୍କ ସେବାରେ ନିୟୋଜିତ ରହିବେ ଏବଂ ସଂକ୍ରମଣ ଏଡ଼ାଇବା ପାଇଁ ଅନ୍ୟ କୌଣସି ବନ୍ୟପ୍ରାଣୀଙ୍କ ସହ ସେମାନଙ୍କୁ ମିଶିବାକୁ ଦିଆଯିବ ନାହିଁ। ସେବାକାରୀ କର୍ମଚାରୀମାନେ ମୁଖା, ହାତମୋଜା ଓ ଜୀବାଣୁନାଶକ ବ୍ୟବହାର କରିବା ସହ ନିୟମିତ ଗରମ ପାଣିରେ ହାତ ଧୋଇବାର କଡ଼ା ନିୟମ ପାଳନ କରୁଛନ୍ତି। ସେମାନଙ୍କ ଆହାର, ସ୍ୱାସ୍ଥ୍ୟ ଏବଂ ଆଚରଣ ଉପରେ କ୍ରମାଗତ ନଜର ରଖାଯାଇଛି ବୋଲି ନନ୍ଦନକାନନ ଉପ-ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ଅନ୍ତର୍ଜାତୀୟ ଚୋରା ଚାଲାଣ ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ସ୍ୱତନ୍ତ୍ର କାର୍ଯ୍ୟବଳ ଦ୍ୱାରା ଜାରି ରହିଛି।