ଶିକାର ଯୋଜନା ଭଣ୍ଡୁର,ଶିମିଳିପାଳ ଅଭୟାରଣ୍ୟରୁ ୫ ଶିକାରୀ ଗିରଫ

ମୟୁରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଯୋଜନା ଭଣ୍ଡୁର I ୫ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ I ଏଥି ସହିତ ତାଙ୍କ ନିକଟରୁ ବିଭିନ୍ନ ଧରଣର ମାରଣାସ୍ତ୍ର ଜବତ କରିବା ସହ ହରିଣ ଓ ସମ୍ବର ଶିଙ୍ଗ ମଧ୍ୟ ଜବତ କରାଯାଇଛି I ୫ଜଣ ଶିକାରୀକୁ ଗିରଫ କରାଯାଇ ଯଶୀପୁରରେ ଥିବା ଶିମିଳିପାଳ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ବନବିଭାଗ।

ସୂଚନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟର ଟିଏଲ-୩ କୋର ଅଞ୍ଚଳରେ ପାଞ୍ଚ ଜଣ ଶିକାରୀ ଶିକାର କରିବା ଉଦ୍ଦେଶ୍ୟରେ ପ୍ରବେଶ କରିଥିଲେ । ଏହି ଖବର ଜଣାପଡିବା ପରେ କେନ୍ଦୁମୁଣ୍ଡି ରେଞ୍ଜ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଥିଲା । ଉକ୍ତ ଟିମରେ STPF ଓ ଜଏଣ୍ଟ ଟାସ୍କ ଫୋର୍ସ (JTF), କେନ୍ଦୁମୁଣ୍ଡି ରେଞ୍ଜ ଅଧିକାରୀଙ୍କ ସହ କେନ୍ଦୁମୁଣ୍ଡି, ଗୁଡୁଗୁଡିଆ, କରଞ୍ଜିଆ, ଦୁଧିଆଣୀ ରେଞ୍ଜର ବନ କର୍ମଚାରୀ ଏବଂ ସ୍ଥାନୀୟ ପୋଲିସ ସାମିଲ ହୋଇ ଶିମିଳିପାଳ ଅଭୟାରଣ୍ୟର ଟିଏଲ-୩ କୋର ଏରିଆରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ତେବେ ଏହି ଚଢ଼ାଉ ବେଳେ ସମସ୍ତ ପାଞ୍ଚ ଜଣ ଶିକାରୀ ଧରାପଡ଼ିବା ସହ ସେମାନଙ୍କ ନିକଟରୁ ଦୁଇଟି ଧନୁ, ୨୩ଟି ତୀର, ଗୋଟିଏ କୁରାଢ଼ୀ, ଗୋଟିଏ ଟାଙ୍ଗିଆ, ଗୋଟିଏ କଟୁରୀ, ଦୁଇଟି ଛୁରି, ପ୍ଲାଷ୍ଟିକ ସହିତ ଦୁଇଟି ହରିଣ ଶିଙ୍ଗ ଓ ଗୋଟିଏ ସମ୍ବର ଶିଙ୍ଗ ମଧ୍ୟ ଜବତ କରାଯାଇଛି । ଗିରଫ ହୋଇଥିବା ପାଞ୍ଚ ଜଣ ଶିକାରୀ ହେଲେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ଗ୍ରାମର ସାଲଖାନ ହେମ୍ବ୍ରମ, ଲାଲ ମୋହନ ହାଁସଦା, ବିରସିଂ ହେମ୍ବ୍ରମ, ମଧୁସୂଦନ ମୁର୍ମୁ ଓ ବଳରାମ ସୋରେନ।