ଶ୍ରୀମନ୍ଦିର ରେ ପଶିଥିବାରୁ ୫ ଅଣ ହିନ୍ଦୁ ଅଟକ

ପୁରୀ: ପୁରୀ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗରେ ୫ ଜଣ ଅଣ ହିନ୍ଦୁ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖିଛି । ସୂଚନାଅନୁସାରେ,  ଗତକାଲି ଏକ ୯ ଜଣିଆ ପର୍ଯ୍ୟଟକ ଦଳ ପୁରୀ ସହରକୁ ବୁଲିବାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ପରିକ୍ରମା ମାର୍ଗରେ ଅପେକ୍ଷା କରିଥିବା ବେଳେ ୬ ଜଣ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ମନ୍ଦିର ଭିତରେ ସେମାନେ ଠାକୁରଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିଥିଲେ ।

ଏହି ସମୟରେ କିଛି ସ୍ଥାନୀୟ ଲୋକ ବାହାରେ ଅପେକ୍ଷା କରିଥିବା ୩ ଜଣ ବ୍ୟକ୍ତିଙ୍କର ପରିଚୟ ଓ ଠିକଣା ପଚାରିଥିଲେ । ସେମାନେ କହିଥିଲେ ଯେ, ସେମାନେ ବାଂଲାଦେଶରୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଅନ୍ୟ ୬ ଜଣ ମନ୍ଦିର ଭିତରକୁ ଯାଇଛନ୍ତି ।

କିଛି ସମୟ ପରେ ମନ୍ଦିର ଭିତରକୁ ପ୍ରବେଶ କରିଥିବା ୬ ଜଣ ବ୍ୟକ୍ତି ମହାପ୍ରସାଦ ଧରି ବାହାରକୁ ଆସିଥିଲେ । ଏହାପରେ ସ୍ଥାନୀୟ ଲୋକେ ସମସ୍ତ ୯ ଜଣ ବ୍ୟକ୍ତିଙ୍କୁ ସିଂହଦ୍ୱାର ଥାନା ଜିମା ଦେଇଥିଲେ । ଏହାପରେ ପୁଲିସ ସେମାନଙ୍କୁ ପଚରା ଉଚରା କରିଥିଲା । ଜେରା ବେଳେ ଜଣାପଡ଼ିଥିଲା ଯେ, ମନ୍ଦିର ଭିତରକୁ ଯାଇଥିବା ୬ଙ୍କ ମଧ୍ୟରୁ ଜଣେ ହିନ୍ଦୁ । ଅନ୍ୟ ୫ ଜଣ ଅଣହିନ୍ଦୁ । ଅନ୍ୟ  ଜଣେ ବ୍ୟକ୍ତିଙ୍କ ଠାରୁ ବାଂଲଦେଶ ପାସପୋର୍ଟ ଜବତ କରାଯାଇଛି ।ସୂଚନାଥାଉକି, ପୁରୀ ଜଗନ୍ନାଥ ମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ନିଷେଧ ।