ସରକାରକୁ ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି !

୧୯୩୬ରୁ ୧୯୯୯ ଯାଏ ବିଚାର ବିଭାଗୀୟ କମିସନଙ୍କ ତଦନ୍ତ ସମ୍ପର୍କିତ ରିପୋର୍ଟ ଫାଇଲ୍ ଗୃହ ବିଭାଗର ସମ୍ବେଦନଶୀଳ ରେକର୍ଡରୁ ଗାଏବ ହୋଇଯାଇଛି। ସୂଚନା ଅଧିକାର ଆଇନ (ଆରଟିଆଇ) ବଳରେ ବିଭାଗ ପକ୍ଷରୁ ସୂଚନା କମିସନଙ୍କ ନିକଟରେ ଦାଖଲ କରାଯାଇଥିବା ସତ୍ୟପାଠରୁ ଏହି ତଥ୍ୟ ପଦାକୁ ଆସିଛି। ସତ୍ୟପାଠରେ ଦର୍ଶାଯାଇଛି ଯେ ଉକ୍ତ ଅବଧି ପାଇଁ ବିଚାର ବିଭାଗୀୟ ତଦନ୍ତ କମିସନଙ୍କ ରିପୋର୍ଟ ଉପରେ ତଥ୍ୟ ଉପଲବ୍ଧ ନାହିଁ।

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ରାଜ୍ୟ ସରକାରଙ୍କ ଏଭଳି ଭୁଲକୁ ସମାଲୋଚନା କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଯଦି ଉକ୍ତ ସମୟ ମଧ୍ୟରେ ବିଚାର ବିଭାଗୀୟ କମିସନ ଗଠନ କରାଯାଇଥାନ୍ତା ତେବେ ସରକାରଙ୍କ ନିକଟରେ କିଛି ଦସ୍ତାବିଜ ଥାନ୍ତା।

ସୂଚନାଯୋଗ୍ୟ ଯେ ୧୯୯୨ ବିଷାକ୍ତ ମଦ ମୃତ୍ୟୁ, ୧୯୯୩ରେ ନାଗାର୍ଜୁନ ବେଶ ସମୟରେ ୬ ଜଣ ଭକ୍ତଙ୍କ ମୃତ୍ୟୁ, ୧୯୯୯ରେ ଚିଲିକାରେ ହୋଇଥିବା ଗୁଳିକାଣ୍ଡ ପରେ ବିଚାର ବିଭାଗୀୟ ତଦନ୍ତ କମିସନ ଗଠନ କରାଯାଇଥିଲା।

ଏସବୁ ରିପୋର୍ଟ ନମିଳିବା ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍ କରିଥିବା ବେଳେ ବିଜେପି ଅଭିଯୋଗ କରିଛି ଯେ ଫାଇଲ୍ ଗାଏବ ହୋଇନାହିଁ ବରଂ ସରକାର ଜାଣିଶୁଣି ଏହାକୁ ଚାପି ଦେଇଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସରକାରଙ୍କ ଅପାରଗତାକୁ ସମାଲୋଚନା କରିବା ସହ ଏଭଳି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ପାଇଁ ଦାୟୀ ବ୍ୟକ୍ତିଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି।

ଏହି ଅଭିଯୋଗର ଜବାବରେ ବିଜେଡି ବିଧାୟକ ପର୍ଶୁରାମ ଧଡ଼ା କହିଛନ୍ତି ଯେ, ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀ ଏହି ଦସ୍ତାବିଜର ରକ୍ଷକ ନୁହନ୍ତି ଏବଂ ଏହାର ଦାୟିତ୍ୱ ସେହି ସମୟରେ କ୍ଷମତାରେ ଥିବା କଂଗ୍ରେସ ସରକାରର ରହିଛି।

ଫାଇଲ୍ ଗାଏବ ହେବା ଘଟଣା ଚର୍ଚ୍ଚା ସୃଷ୍ଟି କରିବା ସହ ସରକାରଙ୍କ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ସାଧାରଣ ଜନତା ଓ ବିରୋଧୀ ଦଳ ଦାବି କରିଛନ୍ତି।