ଡିଜେଲ ଅଭାବରୁ ଚିଲିକାରେ ଫସିଲା ୪୦ ଡଙ୍ଗା

ଭୁବନେଶ୍ୱର: ରାଜ୍ୟରେ ଏବେ ତୀବ୍ର ପେଟ୍ରୋଲ ଓ ଡିଜେଲ ଅଭାବ ପରିଲକ୍ଷିତ ହେଉଛି । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକରେ ଗ୍ରାହକଙ୍କ ଅସମ୍ଭାଳ ଭିଡ଼ ସହ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ଅନ୍ୟପଟେ ତେଲ ସରିଯିବା ଯୋଗୁଁ କେତେକ ପେଟ୍ରୋଲ ପମ୍ପ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ମଧ୍ୟ ନଜରକୁ ଆସିଛି । ଏହି ଇନ୍ଧନ ସଙ୍କଟର ସିଧାସଳଖ ପ୍ରଭାବ ଏବେ ମତ୍ସ୍ୟଜୀବୀମାନଙ୍କ ଜୀବିକା ଉପରେ ପଡ଼ିଛି । ତେଲ ଅଭାବ ଯୋଗୁଁ ଚିଲିକା ମଝିରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଡଙ୍ଗା ସହ ଶତାଧିକ ମତ୍ସ୍ୟଜୀବୀ ଫସି ରହିଥିବା ସୂଚନା ମିଳିଛି । କଣାସ ଅଞ୍ଚଳର ଏହି ମତ୍ସ୍ୟଜୀବୀମାନେ ନଦୀ ମୁହାଣରୁ ଫେରିପାରୁ ନାହାନ୍ତି । ଡିଜେଲ ନଥିବାରୁ ଦୟା ନଦୀ ମୁହାଣ କୂଳରେ ଏକାଧିକ ମାଛଧରା ଡଙ୍ଗା ଅଟକି ରହିଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ିବାରେ ଲାଗିଛି ।