୪ରୁ ବଢ଼ିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୪ ତାରିଖରୁ ଶୀତ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ତଳକୁ ଖସିବା ଯୋଗୁ ଶୀତ ଅନୁଭୂତ ହେବ । ୬ ତାରିଖରୁ ଉପକୂଳରେ ଶୀତ କମିବ । କିନ୍ତୁ ବାୟୁମଣ୍ଡଳୀରେ ଜଳୀୟବାଷ୍ପର ମାତ୍ରା ବଢ଼ିବା ଯୋଗୁ ଆସନ୍ତା ଦୁଇ ଦିନ ଶୀତ ଅପେକ୍ଷାକୃତ କମ୍‌ ରହିବ । ପରେ ଶୀତ କ୍ରମଶଃ ବଢ଼ିବ। ସେପଟେ ଶନିବାର କୋରାପୁଟରେ ପାରଦ ୧୨ ଡିଗ୍ରୀ ତଳକୁ ଖସିଆସିଛି । ସେଠାରେ ରାତି ସମୟର ତାପମାତ୍ରା ୧୧.୫ଡିଗ୍ରୀ ରହିଥିଲା । ଦାରିଙ୍ଗିବାଡ଼ିରେ ୧୨ଡିଗ୍ରୀ, ଫୁଲବାଣୀରେ ୧୩.୫, ସୋନପୁରରେ ୧୪, ଝାରସୁଗୁଡ଼ାରେ ୧୪.୬, ଭବାନୀପାଟଣାରେ ୧୪.୪, ହୀରାକୁଦରେ ୧୫.୨, ଦେବଗଡ଼ରେ ୧୬, କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୬.୨ ଡିଗ୍ରୀ ରହିଥିଲା । ଆସନ୍ତା ୩୧ ତାରିଖରୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା ଅଛି । ୨ ତାରିଖ ଯାଏ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଏଭଳି ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।