ଏକାମ୍ର କ୍ଷେତ୍ରରେ ୧୪ଟି ମନ୍ଦିରର ଉନ୍ନତି ଲାଗି ଖର୍ଚ୍ଚ ହେବ ୪ କୋଟି

ମନ୍ଦିର ମାଳିନୀ ଭୁବନେଶ୍ବର ତଥା ଏକାମ୍ର କ୍ଷେତ୍ରରେ ବିଭିନ୍ନ ମନ୍ଦିରର ପୁନଃବିକାଶ କରାଯିବ। ଲିଙ୍ଗରାଜ ମନ୍ଦିର ସମେତ ଏକାମ୍ର କ୍ଷେତ୍ରରେ ମୋଟ ୧୪ଟି ମନ୍ଦିରର ଉନ୍ନତି ଲାଗି ୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି।

ଶ୍ରୀମତୀ ଷଡଙ୍ଗୀ ଶୁକ୍ରବାର ଏଏସଆଇର ଅଧିକାରୀ ମାନଙ୍କ ସହ ଭୁବନେଶ୍ୱରର ୧୪ଟି ମନ୍ଦିର ପରିଦର୍ଶନ କରି ଏହା କହିଛନ୍ତି। ସେ ଏହି ସମୟରେ ଏହି ମନ୍ଦିର ମାନଙ୍କର ପୂଜକ ଓ ସାଧାରଣ ଲୋକ ମାନଙ୍କ ସହ ଆଲୋଚନା କରିଛନ୍ତି ।

ଏହା ପରେ ସେ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ ଲିଙ୍ଗରାଜ ମନ୍ଦିର ରୋଷ ଘର ଓ ଆଉ ୨ଟି ମନ୍ଦିରର ପୁନରୁଦ୍ଧାର ହେବ।ରୋଷ ଘର ଓ ୨ ମନ୍ଦିର ପୁନରୁଦ୍ଧାର ପାଇଁ ୧ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଶିଶୁପାଳଗଡ଼ ଓ ବ୍ରହ୍ମେଶ୍ୱର ମନ୍ଦିର ମରାମତି ପାଇଁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଭାସ୍କରେଶ୍ୱର ପାଇଁ ୩୦ ଲକ୍ଷ, ରାଜାରାଣୀ ମନ୍ଦିର ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି । ସେହିପରି ଖଣ୍ଡଗିରି, ଉଦୟଗିରି ଗୁମ୍ଫା ନବୀକରଣ ପାଇଁ ୨୫ ଲକ୍ଷ ଟଙ୍କା ବ୍ୟୟ ହେବାକୁ ଥିବା ବେଳେ ଶୁକଶାରୀ, ସହସ୍ରଲିଙ୍ଗ, ରାମେଶ୍ୱର ମନ୍ଦିର ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ବୈତାଲ ମନ୍ଦିର ଓ ପର୍ଶୁରାମ ମନ୍ଦିର ପାଇଁ ୩୦ ଲକ୍ଷ ଲେଖାଏଁ ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି। 2023-24 ଆର୍ଥିକ ବର୍ଷରେ ଏହି କାର୍ଯ୍ୟ କରାଯିବ ଓ ସମସ୍ତ ଖର୍ଚ୍ଚ ଏଏସଆଇ କରିବ ବୋଲି ସେ ସୂଚନା ଦେଇଛନ୍ତି ।