ଭୁବନେଶ୍ୱର: ଓଡ଼ିଶାର ନୂଆ ରାଜ୍ୟପାଳ ହରି ବାବୁ କମ୍ଭମପତି ଆସନ୍ତାକାଲି ଓଡ଼ିଶା ଆସିବେ ବୋଲି ଜଣାଯାଇଛି । ସେ ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବା ପରେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଆସନ୍ତା ୩ ତାରିଖରେ ସେ ଶପଥ ଗ୍ରହଣ କରିବାକର କାର୍ଯ୍ୟକ୍ରମ ରହିଛି । ନୂଆ ରାଜ୍ୟପାଳ ରାଜଭବନରେ ଶପଥ ନେବେ । ସୂଚନା ଅନୁସାରେ, ମିଜୋରାମର ରାଜ୍ୟପାଳ ଡଃ କମ୍ଭାମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଡଃ କମ୍ଭାମପତି ୨୦୨୧ ଜୁଲାଇ ୧୯ତାରିଖରୁ ମିଜୋରାମର ରାଜ୍ୟପାଳ ଅଛନ୍ତି। ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଡଃ କମ୍ଭାମପତି ୧୯୭୪-୭୫ ମସିହାରେ ଜୟପ୍ରକାଶ ନାରାୟଣ ଆନ୍ଦୋଳନବେଳେ ଗିରଫ ହୋଇ ୬ମାସ ଜେଲ୍ ଯାଇଥିଲେ। ସେ ୧୯୯୯ ମସିହାରେ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୧୪ ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିିତ ହୋଇଥିଲେ। ୧୯୫୩ ମସିହା ଜୁନ୍ ୧୫ତାରିଖରେ ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାର ଟିମାସମୁଦ୍ରମ ଗାଁରେ ଜନ୍ମିତ କମ୍ଭାମପତି ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଆଣ୍ଡ କଂଟ୍ରୋଲ ସିଷ୍ଟମରେ ମାଷ୍ଟର ଡିଗ୍ରୀ ଓ କଂଟ୍ରୋଲ ସିଷ୍ଟମରେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ସେ ଆନ୍ଧ୍ରପ୍ରଦେଶ ୟୁନିର୍ଭସିଟି ଇଞ୍ଜିନିୟରିଂ କଲେଜରେ ୨୪ବର୍ଷ ଧରି ଆସୋସିଏଟ୍ ପ୍ରଫେସର ଭାବେ କାର୍ୟ୍ୟ କରିଥିଲେ।