କଟକରେ ପୁଣି ୩ ଲକ୍ଷ ଟଙ୍କାର ନକଲି ଔଷଧ ଜବତ

ଭୁବନେଶ୍ବର: କଟକ ସହର ଅନ୍ତର୍ଗତ ପୁରୀଘାଟ ଥାନା ପୁଲିସ ଆଜି ପୁଣି ନକଲି ଔଷଧ ଜବତ କରିଛି । ପୁଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ମିଳିତ ଉଦ୍ୟମରେ ଆଜି ମହତାବରୋଡ୍ ସ୍ଥିତ ଏକ ଟ୍ରାନ୍‌ପୋର୍ଟ ଉପରେ ଚଢଉ କରାଯାଇଥିଲା । ଚଢଉବେଳେ ୧୩୫୦ରୁ ଊର୍ଦ୍ଧ ନକଲି ଟେଲମା -୪୦ ଷ୍ଟ୍ରିପ ଔଷଧକୁ ଜବତ କରାଯାଇଛି । ଜବତ ହୋଇଥିବା ଏହି ନକଲି ଔଷଧର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । କଲିକତାର ଏକ ସଂସ୍ଥାଠାରୁ ପ୍ରାୟ ୩ଲକ୍ଷ ଟଙ୍କା ମୂଲ୍ୟର ବିଷାକ୍ତ ଔଷଧ ଭି.ଆର ଏଜେନ୍ସିକୁ ମଗାଇଥିଲା । ଏହି ନକଲି ଔଷଧ ଗୁଡିକ ଗତ ୧୦ ତାରିଖରେ କଲିକତାରୁ ଆସି କଟକରେ ପହଞ୍ôଚଥିଲା । ମାତ୍ର ସେହିଦିନ ଏହି କଳାକାରବାରର ଅନ୍ୟତମ ଅଭିଯୁକ୍ତ ଭି.ଆର.ଏଜେନ୍ସିର ମାଲିକ ରାହୁଲ କୋୟଲଙ୍କ ଗିରଫ ହୋଇଥିଲେ । ଏଣୁ ଟ୍ରାନ୍ସପୋର୍ଟ ଯୋଗେ ଆସିଥିବା ଏହି ନକଲି ଔଷଧ ସେ ନେଇ ପାରିନଥିଲେ । ଫଳରେ ଔଷଧଗୁଡିକ ଟ୍ରାନ୍ସପୋର୍ଟରେ ହିଁ ପଡି ରହିଥିଲା ।ତେବେ ଗତ କିଛିଦିନ ଧରି କମିଶନ୍‌ରେଟ ପୁଲିସ ଏହି ଘଟଣାରେ ଛାନ୍‌ବିନ୍ ଚଳାଇ ରଖିଛି । ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ ପୁଲିସ ଦୁଇଦିନ ରିମାଣ୍ଡରେ ଆଣି ସେମାନଙ୍କୁ ପଚରାଉଚରା କରିବା ସହ ଯେଉଁ ସବୁ ଦୋକନୀମାନଙ୍କୁ ଏହି ଔଷଧ ଦିଆଯାଇଛି ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଥିଲା ପୁଲିସ । ଏଥି ସହିତ ତଦନ୍ତ ସମୟରେ ଟାନ୍ସପୋର୍ଟରେ ଗଚ୍ଛିତ ଥିବା ଏହି ନକଲି ଔଷଧ ବାବଦରେ ପୁଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗକୁ ସୂଚନା ମିଳିଥିଲା । ଏହିକ୍ରମରେ ମହତାବ ରୋଡ୍‌ସ୍ଥିତ ଟ୍ରାନ୍ସପୋର୍ଟ ଉପରେ ଆଜି ମିଳିତ ଭାବେ ଚଢଉ କରାଯାଇ ନକଲି ଔଷଧକୁ ଜବତ କରାଯାଇଛି । କାଳେ ଅନ୍ୟ କେଉଁ ଟ୍ରାନ୍ସପୋର୍ଟ ନିକଟରେ ଆଉ ନକଲି ଔଷଧ ଥିବ ସେ ନେଇ କଟକରେ ଥିବା ୧୫ ଟି ଟ୍ରାନ୍ସପୋର୍ଟର ଷ୍ଟକ ଯାଞ୍ଚ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ଗତ ୧୦ ତାରିଖରେ ନକଲି ଔଷଧ ସମ୍ପର୍କରେ ପୁରୀଘାଟ ଥାନାରେ କଟକ ଡ୍ରଗ୍ ଇନ୍ସପେକ୍ଟର ଏତଲା ଦେଇଥିଲେ । ଏତଲା ଆଧାରରେ ଯାଉଁଳିଆପଟି ଅଞ୍ଚଳର ପୂଜା ଏଣ୍ଟରପ୍ରାଇଜେସ୍‌ର ମାଲିକ ସଞ୍ଜୟ ଜଲାନ୍ ଓ ମାଣିକଘୋଷ ବଜାରସ୍ଥିତ ଭି.ଆର. ଡ୍ରଗ୍ ଏଜେନ୍ସି ମାଲିକ ଶ୍ରୀ କୋୟଲଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା ପୁଲିସ । ଦୁଇ ଅଭିଯୁକ୍ତ ଏହି ନକଲି ଔଷଧ ବେଙ୍ଗାଲୁରୁ ଓ ଗୟାରୁ ନକଲି ମେଡ଼ିସିନ ଆଣିଥିବା ଜଣାପଡ଼ିଥିଲା । ନକଲି ଉଚ୍ଚ ରକ୍ତଚାପ ଔଷଧ କାରବାରରେ ସଂପୃକ୍ତ ଦୁଇ ଔଷଧ ମାଫିଆଙ୍କ ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟରୁ ସିଜ୍ କରାଯାଇଛି ।