କିସ୍‌ରେ ନିଯୁକ୍ତି ପାଇଲେ ୨୫୦ ଶିକ୍ଷକ ଶିକ୍ଷୟିତ୍ରୀ: ନିଯୁକ୍ତିପତ୍ର ପ୍ରଦାନ କଲେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ

କିସ୍‌ରେ ନିଯୁକ୍ତି ପାଇଲେ ୨୫୦ ଶିକ୍ଷକ ଶିକ୍ଷୟିତ୍ରୀ। ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ଏହି ଶିକ୍ଷକ ଶିକ୍ଷୟିତ୍ରୀମାନେ ରାଜ୍ୟସରକାରଙ୍କ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭଳି ଇପିଏଫ୍‌, ମେଡିକ୍ଲେମ୍‌, ଇଏସ୍‌ଆଇ ଆଦି ସମସ୍ତ ପ୍ରକାର ସୁବିଧା ପାଇବେ । ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ପ୍ରାପ୍ତ ଓ ଅଧିକାଂଶ ଜନଜାତି ଅଧ୍ୟୁଷିତ ଗ୍ରାମାଞ୍ଚଳର । ୫ଟି ଜିଲ୍ଲାରେ ଖୋଲିଥିବା କିସ୍‌ର ଶାଖା ସ୍କୁଲରେ ଯୋଗଦେବେ । କିସ୍‌ରେ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ବିଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରାୟ ୧୮ ହଜାର ଆବେଦନକାରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୧୧ ହଜାର ଆବେଦନକାରୀଙ୍କୁ ଲିଖିତ ପରୀକ୍ଷା ନିମନ୍ତେ ଡକାଯାଇଥିଲା।

ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୪ ହଜାରଙ୍କୁ ଡେମୋ କ୍ଲାସ୍‌ ନିମନ୍ତେ ଡକା ଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୧୧ଶହ ଜଣଙ୍କୁ ସାକ୍ଷାତକାର ନିମନ୍ତେ ଡକା ଯାଇଥିଲା। ଶେଷରେ ୨୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ସମସ୍ତ ପ୍ରକ୍ରିୟା ପାଇଁ ଏକ ଚୟନ କମିଟି ଗଠନ କରାଯାଇଥିଲା। କିସ୍‌ ସର୍ବଦା ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ଗୁରୁତ୍ୱ ପ୍ରଦାନ କରିଆସିଛି ।

ଫଳରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ କିସ୍‌ କ୍ରମାଗତ ଭାବେ ଶତ ପ୍ରତିଶତ ସଫଳତା ହାସଲ କରିଆସୁଛି। ଏହି ଅବସରରେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇ ଡକ୍ଟର ସାମନ୍ତ କହିଲେ, କିସ୍‌ ସର୍ବଦା ଶୃଙ୍ଖଳାକୁ ଗୁରୁତ୍ୱ ଦେଇ ଆସିଛି। ତେଣୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶୃଙ୍ଖଳା ଓ ନିଷ୍ଠାର ସହ ସେମାନଙ୍କ ଦାୟିତ୍ୱ ର୍ନିବାହ କରିବେ ବୋଲି ଡକ୍ଟର ସାମନ୍ତ ଆଶା ରଖିଛନ୍ତି।