୩ଟଙ୍କା ପାଇଁ ୨୫ ହଜାର ଜୋରିମାନା

ସମ୍ବଲପୁର : ଟଙ୍କେ/ଦୁଇ ଟଙ୍କା ବା ୫ ଟଙ୍କା ପାଇଁ ଅନେକ ସମୟରେ ଦୋକାନୀ-ଗ୍ରାହକ ମୁହାଁମୁହିଁ ହେଉଥିବା ଘଟଣା ପ୍ରାୟ ସମସ୍ତଙ୍କ ନଜରକୁ ଆସିଥିବ । ହେଲେ ଏଇ ଝଗଡା ଯେ କେତେ ମହଙ୍ଗା ପଡିପାରେ ତାହାର ଏକ ଉଦାହାରଣ ଏବେ ଦେଖିବାକୁ ମିଳିଛି । ଜଣେ ଦୋକାନୀ ମାତ୍ର ୩ ଟଙ୍କା ପାଇଁ ଜଣେ ଗ୍ରାହକଙ୍କ ସହ ଝଗଡା କଲେ  । ଅପମାନିତ କଲେ । ଏବେ ୩  ଟଙ୍କା ବଦଳରେ ସେ ଗ୍ରାହକଙ୍କୁ ଗଣିବେ ୨୫ ହଜାର ଟଙ୍କା । କାରଣ ଏମିତି ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ । ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ ।

ଘଟଣାଟି ସମ୍ବଲପୁର ବୁଢାରାଜା ଅଞ୍ଚଳର  । ସମ୍ବଲପୁରର ଜଣେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ଦାସ ଗତ ଏପ୍ରିଲ ୨୮ ତାରିଖରେ ବୁଢାରାଜାର ଗୋୟଲ ପ୍ରିଣ୍ଟିଂ ଜୋନ ନାମକ ଏକ ଜେରକ୍ସ ଦୋକାନରେ ଏକ କାଗଜ ଜେରକ୍ସ କରିଥିଲେ । ଜେରକ୍ସ ଫି ୨ ଟଙ୍କା ଥିବାବେଳେ ଦାସ ତାଙ୍କ ୫ ଟଙ୍କା ବଢାଇଥିଲେ  । ହେଲେ ଦୋକାନୀ ତାଙ୍କୁ ଆଉ ୩ ଟଙ୍କା ଫେରାଇ ନ ଥିଲେ । ଟଙ୍କା ଫେରାଇବା ବଦଳରେ ଯୁକ୍ତିତର୍କ କରିଥିଲେ । ଶେଷରେ ପ୍ରଫୁଲ୍ଲ ଦାସ ବାରମ୍ବାର ଟଙ୍କା ମାଗିବାରୁ ତାଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ୫ ଟଙ୍କା ଯାକ ଫେରାଇ ଦେଇଥିଲେ ଏବଂ ତାଙ୍କୁ ଅପମାନ ଦେବା ପରି କଥା କହିଥିଲେ ।

ଏହାର ପ୍ରତିବାଦରେ ପ୍ରଫୁଲ୍ଲ ଦାସ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ମାମଲାର ଶୁଣାଣି କରି ଦୋକାନୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୫ ହଜାର ଟଙ୍କା ପ୍ରଫୁଲ୍ଲ ଦାସଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଟଙ୍କା ୩୦ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ରହିଛି । ସମୟସୀମା ମଧ୍ୟରେ ନ ଦେଲେ ୯ ପ୍ରତିଶତ ହାରରେ ସୁଧ ଦେବାକୁ ରାୟରେ ଉଲ୍ଲେଖ ରହିଛି ।