ଗରିବୀରୁ ମୁକୁଳିଛନ୍ତି ୨୫ କୋଟି ଭାରତୀୟ:ରାଷ୍ଟ୍ରପତି

ନୂଆଦିଲ୍ଲୀ:  ସଂସଦ ଭବନର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  ଦେଶରେ ଗରିବୀ ଦୂର ହୋଇଛି, ୨୫ କୋଟି ଭାରତୀୟ ଗରିବୀରୁ ମୁକ୍ତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି। ଏଥିସହ ଦେଶରେ ବିଜୁଳି ବିଲ୍ ଶୂନ କରିବାକୁ ସରକାର ଯୋଜନା କରୁଥିବା ସେ କହିଛନ୍ତି। ଦେଶର ଉନ୍ନତି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବିଷୟରେ ଆଲୋଚନା କରି ରାଷ୍ଟ୍ରପତି କହିଛନ୍ତି, ଆଗକୁ ମହିଳାମାନଙ୍କୁ ଡ୍ରୋନ୍ ପାଇଲଟ କରିବାକୁ ଉଦ୍ୟମ ଚାଲିଛି। ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ ଚଳାଯାଇଛି। ଉତ୍ତର-ଦକ୍ଷିଣ ଭାରତରେ ବୁଲେଟ୍ ଟ୍ରେନ୍ ଚଳାଚଳ ପାଇଁ ମଧ୍ୟ ବ୍ୟବସ୍ଥା ଚାଲିଛି ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି। ଆଜି ରାଷ୍ଟ୍ରପତି  ସଂସଦ ଭବନରେ ପହଞ୍ଚିବା ପରେ ଉପରାଷ୍ଟ୍ରପତି ଜଗଦିଶ ଧନଖଡ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ମିଳିତ ଅଧିବଶେନକୁ ସମ୍ବୋଧିତ କରି ନବନିର୍ବାଚିତ ସାଂସଦମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି। ସମ୍ବୋଧନ ସଭାରେ ଦେଶର ଗରିବୀଠୁ ନେଇ ଶିକ୍ଷା, ବିଜ୍ଞାନ, ବାଣିଜ୍ୟ ଓ ଭବିଷ୍ୟତ ଯୋଜନା ଉପରେ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ମୁର୍ମୁ।