ମହିଳାଙ୍କ ଆଖିରୁ ବାହାରିଲା ୨୩ କଣ୍ଟାକ୍ଟ ଲେନ୍ସ

ୱାଶିଟନ୍‌: ଆମେରିକାର ଜଣେ ମହିଳାଙ୍କ ଆଖିରୁ ଡାକ୍ତର ଗୋଟିକ ପରେ ଗୋଟିଏ ଏପରି ୨୩ଟି କଣ୍ଟାକ୍ଟ ଲେନ୍ସ ବାହାର କରିଛନ୍ତି । ସମ୍ପୃକ୍ତ ଡାକ୍ତର ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ଗୁରୁବାର ପୋଷ୍ଟ ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଛନ୍ତି । ଡାକ୍ତର କାତେରିନା କୁର୍ତିଭାଙ୍କ ଅନୁସାରେ ମହିଳା ଜଣକ ପ୍ରତ୍ୟେକ ରାତିରେ ଆଖିରୁ କଣ୍ଟାକ୍ଟ ଲେନ୍ସ କାଢ଼ିବା ଭୁଲି ଯାଉଥିଲେ । ଏହାପରେ ପ୍ରତ୍ୟେକ ଦିନ ସକାଳେ ଆଖିରେ ନୂଆ ଲେନ୍ସ ଲଗାଉଥିଲେ । ୨୩ ଦିନ ଧରି ଏପରି ଚାଲିଥିଲା । ଆଖିରେ ଯନ୍ତ୍ରଣା ହେବା ଏବଂ ଧୂଆଁଳିଆ ଦିଶିବା ପରେ ମହିଳା ଜଣକଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଆସିଥିଲେ । କାତେରିନାଙ୍କ ଅନୁସାରେ ଦୀର୍ଘ ସମୟ ଧରି ଗୋଟିଏ ଉପରେ ଗୋଟିଏ ଲାଗିବା କାରଣରୁ ଲେନ୍ସଗୁଡ଼ିକ ପରସ୍ପର ମଧ୍ୟରେ ଚାପିହୋଇ ଆଖିପତା ପଛରେ ଲୁଚି ଯାଇଥିଲେ । ସେଗୁଡ଼ିକୁ ବହୁ ସାବଧାନତାର ସହିତ ଆଖିରୁ କାଢ଼ିବାକୁ ପଡ଼ିଛି ବୋଲି ସେ କହିଛନ୍ତି । ଲେନ୍ସ ବାହାର କରିବା ପାଇଁ ସେ ଏକ ସ୍ୱତନ୍ତ୍ର ସର୍ଜିକାଲ୍ ଇନ୍‌ଷ୍ଟ୍ରୁମେଣ୍ଟ୍ ଜ୍ୱେଲର୍ ଫୋର୍‌ସେପ୍‌ର ବ୍ୟବହାର କରିଥିଲେ ।